ନ୍ୟୁୟର୍କ, ୨୪।୧୧(ପି.ଟି.): ମଙ୍ଗଳ ଗ୍ରହରେ ପାଖାପାଖି ୪୦୦ କୋଟି ବର୍ଷ ପୂର୍ବେ ବଡ଼ ଧରଣର ବନ୍ୟା ଆସିଥିଲା। ଏହି ବନ୍ୟା ଗାଲେ କ୍ରାଟର (ଶୁଷ୍କ ହ୍ରଦ)ରେ ମାଡ଼ିଯାଇଥିଲା ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିବା ପରେ ଲାଲ୍ ଗ୍ରହରେ ଜୀବସତ୍ତା ତିଷ୍ଠି ରହିବା ସମ୍ଭବ ଥିଲା ବୋଲି କୁହାଯାଉଛି। ନାସାର କ୍ୟୁରିଓସିଟି ରୋଭର ସଂଗ୍ରହ କରିଥିବା ତଥ୍ୟକୁ ଅନୁଧ୍ୟାନ କରାଯାଇ ଗବେଷକମାନେ ଏହା କହିଛନ୍ତି। ସମ୍ଭବତଃ ଉଲ୍କାପାତ କିମ୍ବା ଅନ୍ୟ କୌଣସି କାରଣରୁ ହିମାଚ୍ଛାଦିତ ରିଜର୍ଭୟରରୁ ଅଙ୍ଗାରକାମ୍ଳ ଓ ମିଥେନ୍ ନିର୍ଗତ ହୋଇ ଉତ୍ତାପ ସୃଷ୍ଟି ହୋଇଥିଲା। ଏହି ଉତ୍ତାପ ଯୋଗୁ ମଙ୍ଗଳ ପୃଷ୍ଠରେ ଥିବା ବରଫ ତରଳି ବନ୍ୟା ଆସିଥିଲା ବୋଲି ସାଇଣ୍ଟିଫିକ୍ ରିପୋର୍ଟସ୍ ପତ୍ରିକାରେ ପ୍ରକାଶ ପାଇଛି।
ବନ୍ୟା ସ୍ରୋତର ଚିହ୍ନ ମଙ୍ଗଳ ପୃଷ୍ଠରେ ଦେଖିବାକୁ ମିଳିଥିବାରୁ ବହୁତ ବଡ଼ ବନ୍ୟା ଆସିଥିବା କର୍ନୋଲ ୟୁନିଭର୍ସିଟିର ଆଲବର୍ଟୋ ଜି. ଫେୟାରେନ୍ କହିଛନ୍ତି। ଜଳ ଓ ପବନ ଦ୍ୱାରା ମଙ୍ଗଳ ପୃଷ୍ଠରେ ହୋଇଥିବା ଭୂତାତ୍ତ୍ୱିକ ଢାଞ୍ଚା ୪୦୦ କୋଟି ବର୍ଷ ଧରି ହିମାଚ୍ଛାଦିତ ହୋଇ ରହିଛି। ବନ୍ୟାରେ ୩୦ ଫୁଟ ଉଚ୍ଚର ଲହଡ଼ି ଉଠିଥିବା ବୈଜ୍ଞାନିକମାନେ ଆକଳନ କରିଛନ୍ତି।