ପୃଥିବୀରେ ମଙ୍ଗଳ ଜଳବାୟୁ

ଓ୍ବାଶିଂଟନ୍‌, ୯ା୮: ମଙ୍ଗଳରେ ଜନବସତି ସ୍ଥାପନ ସ୍ବପ୍ନ ପୂରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି ବୈଜ୍ଞାନିକ। ସେଠାକାର ଜଳବାୟୁ ଜୀବନଧାରଣ ନିମନ୍ତେ ଅନୁକୂଳ ହୋଇ ନ ଥିବାବେଳେ ଅନୁରୂପ ପରିବେଶ ପ୍ରସ୍ତୁତ କରିଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା। ସମାନ ବାସସ୍ଥାନରେ ମଣିଷ ନିଜକୁ ଖାପ ଖୁଆଇପାରିଲେ ଏହି ସ୍ବପ୍ନ ପୂରଣ ହୋଇପାରିବ ବୋଲି ନାସା ପକ୍ଷରୁ କୁହାଯାଇଛି। ମଙ୍ଗଳରେ ମଣିଷ ପାଇଁ ସୃଷ୍ଟି ହେଉଥିବା ଚ୍ୟାଲେଞ୍ଜକୁ ସାମ୍‌ନା କରିବା ନିମନ୍ତେ ଏହି ନକଲି ବାସସ୍ଥାନକୁ ବାସ ଉପଯୋଗୀ କରିବା ଏବଂ ଏହା ସହ ଖାପଖୁଆଇବାରେ ମହାକାଶଚାରୀ ପ୍ରସ୍ତୁତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଲାଲ୍‌ଗ୍ରହ ଭଳି ଅନୁରୂପ ଜଳବାୟୁରେ ସମୟ ବିତାଇବାକୁ ନାସା ମହାକାଶଚାରୀଙ୍କ ନିକଟରୁ ଆବେଦନ ଗ୍ରହଣ କରୁଛି। ପ୍ରାଥମିକ ଭିତ୍ତିରେ ୪ ଜଣଙ୍କୁ ସେହିଭଳି ବାସସ୍ଥାନରେ ଖାପ ଖୁଆଇ ରହିବା ନିମନ୍ତେ ଯୋଜନା ହୋଇଛି।
ଥିବା ଜନ୍‌ସନ୍‌ ସ୍ପେସ୍‌ ସେଣ୍ଟର ବିଲ୍ଡିଂରେ ୩-ଡି ପ୍ରିଣ୍ଟର ଦ୍ୱାରା ୧୭ ଶହ ବର୍ଗ ଫୁଟ୍‌ ଆକାରର ମଙ୍ଗଳ ଗ୍ରହର ପରିବେଶ ଅନୁଯାୟୀ ବାସସ୍ଥାନ ନିର୍ମାଣ କରାଯାଇଛି। ସେଠାରେ ବର୍ଷେ ପର୍ଯ୍ୟନ୍ତ ରହିବା ପାଇଁ ଶୁକ୍ରବାର ନାସା ଆବେଦନ ଗ୍ରହଣ କରିବା ଆରମ୍ଭ କରିଛି। ଲାଲ୍‌ଗ୍ରହରେ ଭବିଷ୍ୟତ ଆହ୍ବାନକୁ ସାମ୍‌ନା କରିବାରେ କେତେଜଣ ଉତ୍ସୁକ ଅଛନ୍ତି ତାହା ନାସା ଅଧ୍ୟୟନ କରିବ। ଏହି ବାସସ୍ଥାନରେ ସେମାନେ ସମ୍ବଳର ଅଭାବ, ଉପକରଣ କାର୍ଯ୍ୟକ୍ଷମ ନ ହେବା, ଯୋଗାଯୋଗରେ ସମସ୍ୟା ସହ ପରିବେଶ ସମ୍ବନ୍ଧୀୟ ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହେବେ। ଏଥିରେ ସ୍ପେସ୍‌ଓ୍ବାକ୍‌ର ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ। ଏ ସବୁ ଭିତରେ ଜୀବନ ଧାରଣ ପାଇଁ ସୃଷ୍ଟି ହେଉଥିବା ଶାରୀରିକ ଏବଂ ମାନସିକ ଅସୁବିଧା ବାବଦରେ ତଥ୍ୟ ମିଳିପାରିବ ଓ ଏହାର ସମାଧାନ ନିମନ୍ତେ ରାସ୍ତା ବାହାରି ପାରିବ ବୋଲି ନାସା କହିଛି। କେବଳ ୩୦-୫୫ ବର୍ଷ ବୟସ ବର୍ଗର ଆମେରିକା ନାଗରିକ କିମ୍ବା ସେଠାକାର ସ୍ଥାୟୀ ବାସିନ୍ଦା ଏହି ଆବେଦନ କରିପାରିବେ।

Share