Categories: ଜାତୀୟ

ନିମିଷକରେ ଉଜୁଡିଗଲା ବାହାଘର ଖୁସି: ସଡ଼କ ଦୁର୍ଘଟଣାରେ କନ୍ୟା ପିତାଙ୍କ ସମେତ ୫ ମୃତ

ରାମପୁର,୫ ।୨: ଉତ୍ତର ପ୍ରଦେଶର ଟାଂଡା ଥାନା ଅଞ୍ଚଳର ସିକମପୁର ଗାଁ ନିକଟରେ ଏକ ମାରୁତି ଇକୋ କାର୍ ସ୍ପିଡ ବ୍ରେକରରେ ନିୟନ୍ତ୍ରଣ ହରାଇ ଓଲଟି ପଡିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଉକ୍ତ କାରରେ ୬ ଜଣ ଥିବା ବେଳେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହେବା ସହ ଗୁରୁତର ଥିବା ଡ୍ରାଇଭରକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ମୁରାଦାବାଦର ଜୟନ୍ତିପୁର ଥାନା ମଝୋଲା ନିବାସୀ ପୁରନଦିବାକର(୫୦)ଙ୍କ ଝିଅ ଗୀତାଙ୍କର ବିବାହ ଉତ୍ତରାଖଣ୍ଡର କାଶପୁର ନିକଟ ସୁଲତାନପୁର ପଟ୍ଟି ନିବାସୀ କହ୍ନେୟା ଦିବାକରଙ୍କ ସହ ସ୍ଥିର ହୋଇଥିଲା । ଶନିବାର ବିବାହ ଥିବାରୁ ଶୁକ୍ରବାର ଝିଅର ବିବାହ ପୂର୍ବର କାର୍ଯ୍ୟଲାଗି ପିତା ପୁରନ ଦିବାକର ବନ୍ଧୁମାନଙ୍କ ସହ ବର ଘରକୁ ଯାଇଥିଲେ । ସେଠାରୁ ସେମାନେ ବିଳମ୍ବିତ ରାତିରେ ଫେରୁଥିବା ସମୟରେ ସେମାନଙ୍କ କାରଟି ସିକମପୁର ଗାଁ ନିକଟରେ ତିଆରି ହୋଇଥିବା ସ୍ପିଡବ୍ରେକର ଉପରେ ଚଢିଯାଇ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ଫଳରେ ଗାଡିରେ ଥିବା କନ୍ୟା ପିତା ପୁରନ ଦିବାକର, ତାଙ୍କ ଶଳା ବିନୋଦ ଦିବାକର ଓ ଅନ୍ୟ ୩ଜଣଙ୍କର ଘଟଣାସ୍ଥଳରେ ମୃତୁୃ ହୋଇଥିଲା ।

Share