Categories: ଖେଳ

ପ୍ୟାରିସ ଅଲିମ୍ପିକ୍ସ ଚିଫ୍‌ ଡି’ ମିଶନ ପଦବୀରୁ ଓହରିଲେ ମେରୀକମ୍‌

ନୂଆଦିଲ୍ଲୀ, ୧୩ା୪ : ଛଅ ଥର ବିଶ୍ୱ ଚାମ୍ପିୟନ ବକ୍ସର ଏମ୍‌.ସି. ମେରୀକମ୍‌ ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତର ଚିଫ୍‌ ଡି’ ମିଶନ ପଦବୀରୁ ଓହରିଯାଇଛନ୍ତି। ସେ ବ୍ୟକ୍ତିଗତ କାରଣରୁ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ମେରୀକମ୍‌ ଭାରତୀୟ ଅଲିମ୍ପିକ ଆସୋସିଏଶନ(ଆଇଓଏ) ସଭାପତି ପି.ଟି. ଉଷାଙ୍କ ନିକଟକୁ ଏକ ଚିଠି ଲେଖି ପଦବୀରୁ ତାଙ୍କୁ ଅବ୍ୟାହତି ଦେବାକୁ ଅନୁରୋଧ କରିଛନ୍ତି। ୪୧ ବର୍ଷୀୟ ବକ୍ସର ଏଥିରେ ଦର୍ଶାଇଛନ୍ତି, ଦେଶର ସେବା କରିବା ଏକ ଗୌରବର ବିଷୟ ବୋଲି ସେ ବିବେଚନା କରନ୍ତି। ଏଥିପାଇଁ ସେ ମାନସିକ ରୂପେ ପ୍ରସ୍ତୁତ ଥିଲେ। ତାଙ୍କୁ ଯେଉଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା, ବର୍ତ୍ତମାନ ବ୍ୟକ୍ତିଗତ କାରଣରୁ ତାହା ତୁଲାଇବା ସମ୍ଭବ ନୁହେଁ। ଏଥିପାଇଁ ତାଙ୍କର ଅବଶ୍ୟ ଅବସୋସ ରହିଛି। ଆଇଓଏ ଗତ ମାର୍ଚ୍ଚ ୨୧ରେ ମେରୀକମ୍‌ଙ୍କୁ ଭାରତୀୟ ଅଲିମ୍ପିକ ଆଥ୍‌ଲେଟିକ ଦଳର ଚିଫ୍‌ ଡି’ ମିଶନ ଭାବେ ନିଯୁକ୍ତି ଦେଇଥିଲା। ଏହି ସେଲିବ୍ରିଟି ବକ୍ସର ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଏକ ବ୍ରୋଞ୍ଜ ଜିତିଥିଲେ। ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ହେବାକୁଥିବା ପ୍ୟାରିସ ଗେମ୍ସ ପାଇଁ ମେରୀକମ୍‌ଙ୍କୁ ଦେଶର ପ୍ରତିନିଧି ଦଳର ମୁଖ୍ୟ ଦାୟିତ୍ୱ ପ୍ରଦାନ କରିବା ଯଥାର୍ଥ ଥିଲା। ଉଷା କହିଛନ୍ତି, ତାଙ୍କର ଚିଠି ହସ୍ତଗତ ହେବା ପରେ ମେରୀକମ୍‌ଙ୍କ ସହ କଥା ହୋଇଥିଲେ। ଆମେ ଦୁଃଖର ସହ ଘୋଷଣା କରୁଛୁ ଯେ ଅଲିମ୍ପିକ ପଦକ ବିଜୟିନୀ ବକ୍ସର ତଥା ଆଇଓଏ ଆଥ୍‌ଲେଟ୍ସ କମିଶନ ଚେୟାରମ୍ୟାନ ବ୍ୟକ୍ତିଗତ କାରଣରୁ ତାଙ୍କ ପଦବୀରୁ ଓହରି ଯାଉଛନ୍ତି। ଆମେ ତାଙ୍କ ନିଷ୍ପତ୍ତି ଏବଂ ଗୋପନୀୟତାକୁ ସ୍ବାଗତ ଜଣାଉଛୁ ବୋଲି ଉଷା ତାଙ୍କର ଏକ ବିବୃତିରେ ପ୍ରକାଶ କରିଛନ୍ତି। ବିଚାରବିମର୍ଶ ପରେ ଠିକଣା ସମୟରେ ମେରୀକମ୍‌ଙ୍କ ସ୍ଥାନରେ ଚିଫ୍‌ ଡି’ କମିଶନ ପଦବୀରେ ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଆଇଓଏ ପୂର୍ବରୁ ୬ଥର ଅଲିମ୍ପିଆନ ତଥା ଲୁଗର ଶିବ କେଶବନଙ୍କୁ ଡେପୁଟି ଚିଫ୍‌ ଡି’ କମିଶନ ଭାବେ ନିଯୁକ୍ତି ଦେଇଥିବାବେଳେ ବର୍ତ୍ତମାନର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ଭେଟେରାନ ଟେନିସ ଖେଳାଳିଙ୍କୁ ଭାରତର ପୁରୁଷ ପତାକା ବାହକ ଘୋଷଣା କରିଛି। ଗେମ୍ସ ପାଇଁ ଅନେକ କୋଟା ପୂରଣ ହୋଇ ନ ଥିବାରୁ ମହିଳା ପତାକା ବାହକଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା କରାଯାଇପାରି ନାହିଁ। ପ୍ୟାରିସ ଅଲିମ୍ପିକ୍ସ ପାଇଁ ଇତିମଧ୍ୟରେ ସମସ୍ତ ବିଭାଗରୁ ମୋଟ ୪୦ରୁ ଊର୍ଦ୍ଧ୍ୱ ଭାରତୀୟ ଆଥ୍‌ଲେଟ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଗତ ଅଲିମ୍ପିକ୍ସ ତୁଳନାରେ ଭାରତ ଏଥର ଉନ୍ନତ ପ୍ରଦର୍ଶନ ଆଶା ରଖିଛି। ଗତଥର ଗୋଟିଏ ସ୍ବର୍ଣ୍ଣ ସହ ଭାରତ ମୋଟ ୭ ପଦକ ହାସଲ କରିଥିଲା।

Share