Categories: ଖେଳ

ମେରୀ କମ୍‌ ନିରୀକ୍ଷଣ କମିଟି ମୁଖ୍ୟ

ନୂଆଦିଲ୍ଲୀ,୨୪ା୧:ଭାରତୀୟ ବକ୍ସିଂ କିମ୍ବଦନ୍ତୀ ଏମ୍‌ସି ମେରୀ କମ୍‌ଙ୍କୁ ୫ ଜଣିଆ ନିରୀକ୍ଷଣ କମିଟିର ମୁଖ୍ୟ ଭାବେ ନିଯୁକ୍ତ କରିଛି କ୍ରୀଡ଼ା ମନ୍ତ୍ରଣାଳୟ। ଭାରତୀୟ କୁସ୍ତିଯୋଦ୍ଧା ସଂଘ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ନାମରେ ମହିଳା ଆଥ୍‌ଲେଟଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିବା ପରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ମାମଲାର ତଦନ୍ତ ଶେଷ ନ ହେବା ଯାଏ ସଭାପତିଙ୍କୁ ପଦରୁ ଦୂରେଇ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଫଳରେ ଆସନ୍ତା ଏକ ମାସ ପାଇଁ ଡବ୍ଲ୍ୟୁଏଫ୍‌ଆଇର କାର୍ଯ୍ୟଭାର ପରିଚାଳନା ଲାଗି ସୋମବାର ୫ ଜଣିଆ ନିରୀକ୍ଷଣ କମିଟି ଗଠନ କରାଯାଇଛି। ମେରୀ କମ୍‌ଙ୍କ ନେତୃତ୍ୱରେ ଗଠିତ କମିଟିରେ ଯୋଗେଶ୍ୱର ଦତ୍ତ, ପୂର୍ବତନ ବ୍ୟାଡ୍‌ମିଣ୍ଟନ ଖେଳାଳି ତଥା ମିଶନ୍‌ ଅଲିମ୍ପିକ୍ସ ସେଲ୍‌ ସଦସ୍ୟ ତୃପ୍ତି ମୁର୍ଗୁଣ୍ଡେ, ପୂର୍ବତନ ଟପ୍ସ ସିଇଓ ରାଜଗୋପାଳନ୍‌ ଏବଂ ସାଇର ପରିଚାଳନା ନିର୍ଦ୍ଦେଶକ ରାଧିକା ଶ୍ରୀମାନ୍‌ ପ୍ରମୁଖ ରହିଛନ୍ତି। କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏହି କମିଟି ସମ୍ପର୍କରେ ଘୋଷଣା କରିଛନ୍ତି। ଏହି କମିଟି ଡବ୍ଲ୍ୟୁଏଫ୍‌ଆଇର ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରିବ। ଭିନେଶ୍‌ ଫୋଗତ, ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକଙ୍କ ପରି କୁସ୍ତିଯୋଦ୍ଧା ଡବ୍ଲ୍ୟୁଏଫ୍‌ଆଇ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ନାମରେ ଯୌନଶୋଷଣ ଓ ଏକଚ୍ଛତ୍ରବାଦ୍‌ର ଅଭିଯୋଗ ଆଣିବା ସହିତ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଆନ୍ଦୋଳନରେ ବସିଥିଲେ। କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଖେଳାଳି ମାନଙ୍କ ସହିତ ମାରାଥନ ଆଲୋଚନା ପରେ ଏକ ତଦନ୍ତ କମିଟି ଗଠନର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା। ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ପକ୍ଷରୁ ୭ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟିରେ ମେରୀ କମ୍‌, ଡୋଲା ବାନାର୍ଜୀ, ଅଳକାନନ୍ଦା ଅଶୋକ, ଯୋଗେଶ୍ୱର ଦତ୍ତ, ସହଦେବ ଯାଦବ ଏବଂ ଦୁଇଜଣ ଓକିଲ ଟାଲିଶ ରୟ ଓ ଶ୍ଲୋକ ଚନ୍ଦ୍ରାଙ୍କୁ ସାମିଲ କରାଯାଇଛି। ଏହି କମିଟି ୪ ସପ୍ତାହ ମଧ୍ୟରେ ବ୍ରିଜ୍‌ ଭୂଷଣଙ୍କ ବିରୋଧରେ ଆସିଥିବା ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ। ଉଭୟ ମେରୀ କମ୍‌ ଏବଂ ଯୋଗେଶ୍ୱର ଦତ୍ତ ଉଭୟ ତଦନ୍ତ କମିଟି ଏବଂ ନିରୀକ୍ଷଣ କମିଟିର ସଦସ୍ୟ ରହିଛନ୍ତି। ଡବ୍ଲ୍ୟୁଏଫ୍‌ଆଇ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ଇସ୍ତଫା ସହିତ ତୁରନ୍ତ ଡବ୍ଲ୍ୟୁଏଫ୍‌ଆଇକୁ ଭାଙ୍ଗିବା ଦାବିରେ ଏହି ଖେଳାଳିମାନେ ଧାରଣାରେ ବସିଥିଲେ। ତେବେ ଏଭଳି ଅଭିଯୋଗକୁ ବ୍ରିଜ ଭୂଷଣ ଅସ୍ବୀକାର କରିବା ସହିତ ଜଣେ ବ୍ୟବସାୟୀ ଏହି ସମସ୍ତ ମାମଲା ପଛରେ ଥିବା କହିଛନ୍ତି।

Share