ପୁଅ ବାହାଘରରେ ଭାରତୀୟ ଡିଜାଇନର ଲେହେଙ୍ଗା ପିନ୍ଧିଲେ ମରିୟମ

ଇସଲାମାବାଦ,୧୮ ।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ତଥା ପିଏଲ୍‌ଏମ୍‌-ଏନ୍‌ର ଉପାଧ୍ୟକ୍ଷା ମରିୟମ ନୱାଜଙ୍କ ପୁଅ ଜୁନୈଦ ସଫଦରଙ୍କର ଆୟଶା ସୈଫ ଖାଁଙ୍କ ସହ ବିବାହ ହୋଇ ଯାଇଛି । ଏହି ବିବାହ ଏବେ ପାକିସ୍ତାନରେ ଚର୍ଚ୍ଚାର ବିଷୟ ପାଲଟିଛି । ମଙ୍ଗଳବାର ଆୟଶା ଓ ଜୁନୈଦଙ୍କ ପାଇଁ ଭବ୍ୟ ବାରାତର ଆୟୋଜନ କରାଯାଇଥିଲା । ପୁଣି ଏହି ବିବାହ ସମାରୋହ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିଲା ଯେଉଁଥିରେ ପାକିସ୍ତାନର ଜଣାଶୁଣା ଲୋକେ ସାମିଲ ହୋଇଥିଲେ । ଏହି ବିବାହକୁ ନେଇ ବେଶି ଚର୍ଚ୍ଚା ହେଉଛି ମରିୟମଙ୍କ ପୋଷାକର । ପୁଅ ବାହାଘରରେ ମରିୟମ ଯେଉଁ ପୋଷାକ ପିନ୍ଧିଥିଲେ ତାହା ଦେଖିବା ଭଳି ଥିଲା ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ମରିୟମ ନୱାଜ ବିବାହର ପ୍ରତିଟି ରଶମରେ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଥିବା ଭିନ୍ନ ଭିନ୍ନ ପୋଷାକ ପିନ୍ଧିଥିଲେ । ସେ କୱାଲି ନାଇଟରେ ଗୋଲାପି ଶାଢି, ମେହେନ୍ଦିରେ ନୀଳ ରଙ୍ଗର ଲେହେଙ୍ଗା ଓ ବାରାତରେ ସବୁଜ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ । ସେ ପୁଅର ମେହେନ୍ଦି ସେରିମନିରେ ଯେଉଁ ନୀଳ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ ତାକୁ ଭାରତର ଡିଜାଇନର ଅଭିନବ ମିଶ୍ରା ଡିଜାଇନ କରିଥିଲେ । ରେଶମ ଲେହେଙ୍ଗାରେ କାଚ ଓ ଗୋଟିକାମ କରାଯାଇଥିଲା । ଏହାକୁ ପିନ୍ଧିବା ପରେ ମରିୟମଙ୍କ ସୁନ୍ଦରତା ଆହୁରି ବଢି ଯାଇଥିଲା । ଏହି ଲେହଙ୍ଗାର ଦାମ୍ ଅଭିନବ ମିଶ୍ରାଙ୍କ ୱେବସାଇଟରେ ୪ଲକ୍ଷ ଟଙ୍କା ହୋଇଥିବା ବେଳେ ପାକିସ୍ତାନ ଟଙ୍କାରେ ଏହା ଆହୁରି ଅଧିକ ହୋଇଥିବ ବୋଲି କୁହାଯାଉଛି । ଅନ୍ୟ ସମସ୍ତ ପୋଷାକ ପାକସ୍ତାନୀ ଡିଜାଇନରଙ୍କ ଦ୍ୱାରା ଡିଜାଇନ କରାଯାଇଥିଲା । ଏବେ ମରିୟମଙ୍କ ଡ୍ରେସିଂ ସେନ୍ସକୁ ଦେଖି ସୋସିଆଲ ମିଡିଆ ୟୁଜର୍ସ କହୁଛନ୍ତି ବୋହୂ ଅପେକ୍ଷା ଶାଶୁ ତ ଅଧିକ ସୁନ୍ଦର ଲାଗୁଛନ୍ତି ।

Share