Advertisement

ବନ୍ଧୁଙ୍କ ପାଇଁ ମଶାଣି ପାଲଟିଛି ଘର

ମାଥିଲି,୨୯।୩ (ଡି.ଏନ.ଏ.): ମଶାଣି ନାଁ ଶୁଣିଲେ ସାଧାରଣତଃ ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ। ଜଣେ ମୃତ୍ୟୁବରଣ କରିବା ପରେ ସେଠାକୁ କୋକେଇରେ ଯାଏ। ମାତ୍ର ମାଥିଲି ବ୍ଲକରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ମଶାଣିକୁ ନିଜ ଘର କରିଛନ୍ତି। ମଶାଣିରୁ ବିଭିନ୍ନ ଆବର୍ଜନାକୁ ଗୋଟେଇ ଗୋଟିଏ ଜାଗାରେ ସାଇତି ରଖି ନିଜ ସୃଜନାୀଳତାର ପରିଚୟ ଦେଇଛନ୍ତି। ଦିନେ କି ସପ୍ତାହେ, ମାସେ ନୁହେଁ ଦୀର୍ଘ୧୫ ବର୍ଷ ହେଲା ସେ ମଶାଣିରେ ଏପରି କାର୍ଯ୍ୟ ଜାରି ରଖିଛନ୍ତି। ସେ ହେଲେ ବନ୍ଧୁ ନାୟକ (୬୦)। ମାଲକାନଗିରି ଜିଲା ମାଥିଲି ବ୍ଲକ ନୂଆଗୁଡା ଗ୍ରାମରେ ତାଙ୍କ ଘର।
ମାନସିକ ଭିନ୍ନକ୍ଷମ ଥିବା ବନ୍ଧୁ ଏକଦା ଥିଲେ ବେଶ୍‌ ସ୍ବଚ୍ଛଳ ବର୍ଗର ମଣିଷ। ତେବେ ପରିସ୍ଥିତିରେ ପଡି ସେ ନିଜର ସବୁ ସମ୍ପତ୍ତି ହରାଇ ବସିଲେ। ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ନିଜ ମାନସିକ ଭାରସାମ୍ୟ ହରାଇ ସେବେଠାରୁ ଘରୁ ପଳାଇ ଆସି ମଶାଣିରେ ରହୁଛନ୍ତି। କିଛି ଦିନ ମଶାଣି ପାଖରେ ଥିବା ଏକ ଗଛ ଉପରେ ମଞ୍ଚା ବାନ୍ଧି ରହିଲେ। ଏବେ ସେ ଶବଦାହ ହେଉଥିବା ଗୃହରେ ରହୁଛନ୍ତି। ବିଭିନ୍ନ ସ୍ଥାନରୁ କନା, ପତାକା, ବୋତଲ ଆଣି ଏଠାରେ ରଖିଛନ୍ତି। ଛୋଟଛୋଟ ପଲିଥିନରେ ତୋରଣ ବାନ୍ଧିଛନ୍ତି। ଦୂରରୁ ଏହା ଏକ ମନ୍ଦିରର ଭ୍ରମ ସୃଷ୍ଟି କରୁଛି। ବନ୍ଧୁଙ୍କ ଏକମାତ୍ର ଝିଅର ବିବାହ ସରିଛି। ଝିଅ ଜ୍ୱାଇଁ ୨/୩ ଥର ତାଙ୍କୁ ମେଡିକାଲ ନେବା ପାଇଁ ଗାଡିଧରି ଆସିଥିଲେ ମଧ୍ୟ ଗାଡିରୁ ଡେଇଁ ସେ ପୁଣି ମଶାଣିକୁ ଚାଲିଯାଆନ୍ତି। ସେହି ସ୍ଥାନରେ ରହି ଦିନରାତି ବନ୍ଧୁ ଆଦିବାସୀ ଭାଷାରେ ପୁରାଣ ଗୀତ ଗାଆନ୍ତି। ପ୍ରଶାସନ ପକ୍ଷରୁ ତାୁଙ୍କୁ ଉଦ୍ଧାର କରି ଚିକିତ୍ସା କଲେ ସେ ସୁସ୍ଥ ହୋଇ ପାରିବେ ବୋଲି କେତେକ ଗ୍ରାମବାସୀ କହିଛନ୍ତି।

Share