Categories: ଜାତୀୟ

୩୦ ସେପ୍ଟେମ୍ବରରେ ବାବରୀ ମସଜିଦ୍‌ ଭଙ୍ଗା ରାୟ: ଆଡ଼ଓ୍ବାଣୀ-ଯୋଶୀଙ୍କୁ ଉପସ୍ଥିତ ରହିବାକୁ ନୋଟିସ୍‌

ନୂଆଦିଲ୍ଲୀ, ୧୬।୯: ବାବରୀ ମସଜିଦ୍‌ ଭଙ୍ଗା ମାମଲାର ରାୟ ସେପ୍ଟେମ୍ବର ୩୦ରେ ଆସିବ। ଏନେଇ ଲକ୍ଷ୍ନୌସ୍ଥିତ ସ୍ପେଶାଲ ସିବିଆଇ କୋର୍ଟ ପକ୍ଷରୁ ଲାଲ୍‌କୃଷ୍ଣ ଆଡ଼ଓ୍ବାଣୀ, ମୂରଲୀ ମନୋହର ଯୋଶୀ, କଲ୍ୟାଣ ସିଂ, ବିନୟ କଟିଆର, ମହନ୍ତ ନୃତ୍ୟ ଗୋପାଳ ଦାସ, ସାଧ୍ୱୀ ରିତମ୍ଭରା, ଉମା ଭାରତୀଙ୍କ ସମେତ ୩୨ ଜଣ ଅଭିଯୁକ୍ତଙ୍କୁ ଉପସ୍ଥିତ ରହିବାକୁ ବୁଧବାର ନୋଟିସ୍‌ ଜାରି କରିଛନ୍ତି। ୧୯୯୨ ଡିସେମ୍ବର ୬ରେ ଅଭିଯୁକ୍ତମାନେ ବାବରୀ ମସଜିଦ୍‌ ଭଙ୍ଗାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ସ୍ପେଶାଲ ସିବିଆଇ କୋର୍ଟ ବିଚାରପତି ସୁରେନ୍ଦ୍ର କୁମାର ଯାଦବ ଏନେଇ ନୋଟିସ୍‌ ଜାରି କରିଛନ୍ତି। ଏହି ମାମଳାର ବିଚାର ଧାର୍ଯ୍ୟ ସମୟରେ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଆଧାରରେ ସ୍ପେଶାଲ କୋର୍ଟ ପକ୍ଷରୁ ଉଦ୍ୟମ ଜାରି ରହିଥିବା କୁହାଯାଉଛି। ନୋଟିସ୍‌ ସମ୍ପର୍କରେ ଅଭିଯୁକ୍ତଙ୍କ ଆଇନଜୀବୀ କେ.କେ.ମିଶ୍ର କହିଛନ୍ତି। ସେ ୩୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨୫ଜଣଙ୍କ ସପକ୍ଷରେ ଏହି ମାମଲା ଲଢୁଛନ୍ତି। ପୂର୍ବରୁ ଏହି ମାମଲାର ଅନ୍ତିମ ରାୟ ତାରିଖ ଏପ୍ରିଲ୍‌ ୧୯ ଥିଲା। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଏହାକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢ଼ାଯାଇଥିଲା। ପରେ ଏହାକୁ ପୁଣି ଏକମାସ ବୃଦ୍ଧି କରାଯାଇଥିଲା। ୨୦୧୭ ଏପ୍ରିଲ୍‌ ୧୯ରେ ଏହି ମାମଲାର ବିଚାର ସ୍ପେଶାଲ ବିଚାରପତି ୨ ବର୍ଷ ମଧ୍ୟରେ ଶେଷ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Share