ମାସ୍କରେ ରହିବ ପଲିପ୍ରୋପାଇଲିନ୍‌ ଫିଲ୍ଟର

ଓଟାଓ୍ବା, ୨୮।୧୧: କରୋନା ସଂକ୍ରମଣ ରୋକିବା ଲାଗି ଏବେ କପଡ଼ା ପ୍ରସ୍ତୁତ ଫେସ୍‌ ମାସ୍କରେ ପଲିପ୍ରୋପାଇଲିନ୍‌ କପଡ଼ାର ତୃତୀୟ ସ୍ତର ରଖିବା ଲାଗି କାନାଡାର ଜନସ୍ବାସ୍ଥ୍ୟ ସଂସ୍ଥା ସୁପାରିସ କରିଛି। ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଫେସ୍‌ ମାସ୍କରେ ଅତିରିକ୍ତ ସ୍ତର ବ୍ୟବହାର ଦ୍ୱାରା ଫିଲ୍‌ଟ୍ରେଶନ (ବାୟୁକୁ ଛାଣିବା) ଭଲ ହୋଇଥାଏ। ତେବେ କେତେକ କପଡ଼ା ଅନ୍ୟ ତୁଳନାରେ ଅଧିକ ଫିଲ୍‌ଟ୍ରେଶନ କରିଥାଏ। ସେହି ଅନୁଯାୟୀ କାନାଡା ଜନସ୍ବାସ୍ଥ୍ୟ ସଂସ୍ଥା କପଡ଼ା ମାସ୍କରେ ମଧ୍ୟବର୍ତ୍ତୀ ସ୍ତର ଭାବେ ଇଣ୍ଡଷ୍ଟ୍ରି ଗ୍ରେଡ୍‌ ସ୍ପୁନ୍‌ବଣ୍ଡ୍‌ ପଲିପ୍ରୋପାଇଲିନ୍‌ ବ୍ୟବହାର ଲାଗି ସୁପାରିସ କରିଛି। ଏହା ଅଧିକ କଣିକାକୁ ଛାଣିବା ସହ ପ୍ରଶ୍ୱାସ ନେବାରେ ଅଧିକ ସୁବିଧା ହୋଇଥାଏ।
ସ୍ପୁନ୍‌ବଣ୍ଡ ପଲିପ୍ରୋପାଇଲିନ୍‌କୁ ଓ୍ବେଷ୍ଟବ୍ୟାଣ୍ଡ୍‌ ଓ କଲାରରେ ବ୍ୟବହାର କରାଯାଇଥାଏ। କପଡ଼ା ଡିଷ୍ଟ୍ରିବ୍ୟୁଟରଙ୍କ ପାଖରେ ଏହା ସହଜରେ ଉପଲବ୍ଧ। ତ୍ରିସ୍ତରୀୟ ମାସ୍କରେ ସୂତା କପଡ଼ାକୁ ବାହାର ସ୍ତର ଏବଂ ୬୮ ଜିଏସ୍‌ଏମ୍‌ ପଲିପ୍ରୋପାଇଲିନ୍‌କୁ ମଧ୍ୟମ ସ୍ତର ଭାବେ ବ୍ୟବହାର କରାଯାଇ ପାରିବ। ଏହା ଆରାମ ଦାୟକ ଏବଂ ଧୁଆଯାଇପାରିବ।

Share