୨ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କୁ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର,୧୪।୫(ବ୍ୟୁରୋ): କୋଭିଡ୍‌-୧୯ ଦ୍ୱିତୀୟ ଲହର ଭୟାବହତାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶିଶୁ, କିଶୋରୀ କିଶୋର, ଗର୍ଭବତୀ ଓ ପ୍ରସବ କରିଥିବା ମହିଳାମାନଙ୍କ ପାଇଁ ଗାଇଡ୍‌ଲାଇନ ଜାରି କରାଯାଇଛି। ଘରୁ ପଦାକୁ ଆସିଲେ ୨ ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏ ନେଇ ପିଲାମାନଙ୍କର ମାତାପିତା ନିଶ୍ଚିତ କରିବେ। ତରଳ ଝାଡ଼ା, ବାନ୍ତି କରିବା କିମ୍ବା ପାକସ୍ଥଳୀ ଦରଜ ହେବା ସହ ଥଣ୍ଡା, ଜ୍ୱର, ସ୍ବାଦ ବାରି ନ ପାରିବା, ଶିଶୁମାନଙ୍କର ଖାଇବା କମିଯିବା ଇତ୍ୟାଦିକୁ ସନ୍ଦିଗ୍ଧ କୋଭିଡ୍‌ ସଂକ୍ରମିତ ଭାବେ ବିଚାର କରାଯିବ। ଏ ସବୁ ଲକ୍ଷଣ ଥିଲେ ତୁରନ୍ତ ପରୀକ୍ଷା କରିବା ସହ ସଙ୍ଗରୋଧ କରିବା ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଗାଇଡ୍‌ଲାଇନକୁ ପାଳନ କରିବାକୁ କୁହାଯାଇଛି। ଏଥିସହିତ ୪୦ ସେକେଣ୍ଡ ପର୍ଯ୍ୟନ୍ତ ସାବୁନରେ ହାତ ଧୋଇବା ଏବଂ ମୁହଁ, ନାକ ଏବଂ ଆଖିକୁ ଅଯଥାରେ ନ ଛୁଇଁବାକୁ କୁହାଯାଇଛି। ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରିବା ସହ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ ଅନୁସରଣ କରିବାକୁ କୁହାଯାଇଛି।

Share