ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଆଉ କିଛିଦିନ ପରେ ପୁରୀରେ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ୨ ବର୍ଷ ପରେ ଚଳିତବର୍ଷ ଭକ୍ତମାନେ ମହାପ୍ରଭୁଙ୍କ ରଥ ଟାଣିବାର ସୁଯୋଗ ପାଇବେ। ତେବେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ରଥଯାତ୍ରା ଆସିବା ମନା। ଜ୍ୱର, କାଶ, ଥଣ୍ଡା ଓ ଛିଙ୍କ ହେଉଥିଲେ ପୁରୀ ନ ଯାଇ ଘରେ ବସି ରଥଯାତ୍ରା ଦେଖିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ରଥଯାତ୍ରା ପାଇଁ ପୁରୀରେ ପର୍ଯ୍ୟାପ୍ତ ପରିମାଣର ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବ। ଏଥିସହିତ ପୁରୀକୁ ଆସୁଥିବା ଭକ୍ତମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ମାସ୍କ ଯୋଗାଇବ। ଭିଡ଼ ସ୍ଥାନକୁ ନ ଯିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । କେବଳ କରୋନା ନୁହେଁ ଝାଡ଼ା, ବାନ୍ତି ଭଳି ରୋଗ ଥିଲେ ମଧ୍ୟ ରଥଯାତ୍ରାକୁ କେହି ଆସନ୍ତୁ ନାହିଁ ବୋଲି ନିବେଦନ କରାଯାଇଛି।