କରୋନା ଆକ୍ରାନ୍ତ ଶବକୁ ଗାତରେ ଫିଙ୍ଗିଲେ ମେଡିକାଲ କର୍ତ୍ତୃପକ୍ଷ

ବଲ୍ଲାରି, ୩୦।୯- କର୍ନାଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ବଲ୍ଲାରି ଜିଲାରେ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ନିଦ ହଜାଇ ଦେଇଛି। ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି କରୋନା ଆକ୍ରାନ୍ତଙ୍କ ମୃତ ଦେହକୁ ମେଡିକାଲ କର୍ତ୍ତୃପକ୍ଷ ଗାତ ଖୋଳି ପୋତି ଦେଉଛନ୍ତି। ଯାହାକୁ ସବୁସ୍ତରରେ ନିନ୍ଦା କରାଯାଇଛି। ବଲ୍ଲାରିରେ ବର୍ତ୍ତମାନ ସୁଦ୍ଧା ୭୭୩ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୩ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଗତ ଦୁଇଦିନ ଅର୍ଥାତ୍‌ ରବିବାର ଓ ସୋମବାର ୧୨ ଜଣ କରୋନାରେ ପ୍ରାଣ ହରାଇଥିଲେ। ଫଳରେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଶବକୁ ଅନ୍ତିମ ସଂସ୍କାର କରିବା ମେଡିକାଲ କର୍ତ୍ତୃପକ୍ଷଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ପିପିଏ କିଟ୍‌ ପରିଧାନ କରି ମେଡିକାଲ କର୍ତ୍ତୃପକ୍ଷ ଗାଡ଼ି ମଧ୍ୟରୁ ଶବ ଗୁଡ଼ିକ ଆଣି ଗାତକୁ ଫିଙ୍ଗି ଦେଉଛନ୍ତି। ଏହାପରେ ଡ୍ରୋଜର ସହାୟତାରେ ଗାତରେ ମାଟି ପୋତି ଦିଆଯାଉଛି। ଏହି ଘଟଣାରେ କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି ଶ୍ରୀରାମୁଲୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ମଧ୍ୟ ଏହି ଘଟଣାକୁ ନିନ୍ଦା କରାଯାଇଛି।