ଗାଜାରୁ ଗଣପଳାୟନ

ଜେରୁଜେଲମ/ଗାଜା ସିଟି,୧୪ା୧୦: ଗାଜାର ଶାସକ ହମାସ୍‌ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ଇସ୍ରାଏଲ ସ୍ଥଳସେନା ପକ୍ଷରୁ ବଡ଼ ଧରଣର ଆକ୍ରମଣ ହେବାକୁ ଯାଉଛି। ଏଥିପାଇଁ ୧୦ ଲକ୍ଷ ପାଲେଷ୍ଟିନୀୟ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଗାଜା ଛାଡ଼ି ଦକ୍ଷିଣ ପାର୍ଶ୍ୱକୁ ଚାଲିଯିବା ପାଇଁ ଇସ୍ରାଏଲ୍‌ ସୈନ୍ୟବାହିନୀ ପକ୍ଷରୁ ଶୁକ୍ରବାର ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଚେତାବନୀ ପରେ ଗାଜା ଷ୍ଟ୍ରିପ୍‌ରୁ ବହୁସଂଖ୍ୟାରେ ଲୋକ ଘର ଛାଡ଼ିବା ଆରମ୍ଭ କରିଛନ୍ତି। ବହୁ ସଂଖ୍ୟାରେ ଲୋକେ କାର୍‌ ଛାତରେ ବିଛଣାପତ୍ର ଓ ଅତ୍ୟାବଶ୍ୟକ ସାମଗ୍ରୀ ଧରି ପଳାଉଥିବା ଦେଖାଯାଇଛି। ଗାଜା ସିଟି, ବେଇଟ୍‌ ଲାହିଆ, ବେଇଟ୍‌ ହାନୌନ ଏବଂ ଜାବାଲିଆ ଆର୍‌ସିରୁ ବାସିନ୍ଦାମାନେ ଗଣପଳାୟନ କରୁଛନ୍ତି। ଯେଉଁମାନେ ଘର ନ ଛାଡ଼ିବେ ସେମାନେ ମାରାତ୍ମକ ପରିଣାମର ସମ୍ମୁଖୀନ ହୋଇପାରନ୍ତି ବୋଲି ଇସ୍ରାଏଲ୍‌ ସେନା ଚେତାବନୀ ଦେଇଥିଲା।
ଗାଜା ଷ୍ଟ୍ରିପ୍‌ ଉପରେ ଆକାଶ ମାର୍ଗରୁ ବୋମା ଓ ରକେଟ ମାଡ଼ କରିଚାଲିଥିବା ଇସ୍ରାଏଲ୍‌ ସେନା ଏବେ ସ୍ଥଳପଥରେ ଉକ୍ତ ଅଞ୍ଚଳକୁ ଦଖଲ କରିବାକୁ ଚାହୁଁଛି। ଏଥିପାଇଁ ୩ ଲକ୍ଷ ସୈନ୍ୟଙ୍କୁ ଗାଜା ସୀମାକୁ ପଠାଯିବା ସହ ବହୁସଂଖ୍ୟାରେ ଟ୍ୟାଙ୍କ ଠୁଳ କରିଛି। ଯେକୌଣସି ମୁହୂର୍ତ୍ତରେ ସେମାନେ ଗାଜା ଭିତରେ ପ୍ରବେଶ କରିବେ। ସେଥିପାଇଁ ଉତ୍ତର ଗାଜାର ଲୋକମାନେ ସେମାନଙ୍କର ତଥା ସେମାନଙ୍କ ପରିବାର ସଦସ୍ୟମାନଙ୍କ ସୁରକ୍ଷା ଲାଗି ଦକ୍ଷିଣ ଭାଗକୁ ପଳାଇଯିବା ଲାଗି କୁହାଯାଇଛି। ହମାସ୍‌ ଆତଙ୍କବାଦୀମାନେ ନିରୀହ ଲୋକମାନଙ୍କୁ ମାନବ ଢାଲ ଭାବେ ବ୍ୟବହାର କରୁଥିବା ଇସ୍ରାଏଲ ସେନା କହିଛନ୍ତି। ହମାସ୍‌ ଆତଙ୍କବାଦୀମାନେ ସାଧାରଣ ଜନବସତି ମଧ୍ୟରେ ଆତ୍ମଗୋପନ କରିଥିବା ଅଭିଯୋଗ ହୋଇଛି।
ଉତ୍ତର ଗାଜାରୁ ଏତେ ସଂଖ୍ୟାରେ ଲୋକଙ୍କ ଗଣପଳାୟନ ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି ଜାତିସଂଘ ସତର୍କ କରାଇଦେଇଛି। ଇସ୍ରାଏଲ୍‌ ପକ୍ଷରୁ ଉତ୍ତର ଗାଜା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଆକାଶମାର୍ଗରୁ ଘନଘନ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ଘରଦ୍ୱାର ଛାଡ଼ି ପଳାଇଥିଲେ। ଏବେ ଇସ୍ରାଏଲ୍‌ ସମଗ୍ର ଅଞ୍ଚଳକୁ ଦଖଲ କରିବାକୁ ଉଦ୍ୟମ କରୁଥିବାରୁ ତାହା ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇଯିବ ବୋଲି ଆଶଙ୍କା କରାଯାଉଛି। ଏବେ ଲୋକ ଖାଦ୍ୟ, ବିଜୁଳି, ଇନ୍ଧନ ଆଦିକୁ ଭୁଲିଗଲେଣି। କେବଳ ଜୀବନ ବଞ୍ଚାଇବାକୁ ସେମାନେ ଚିନ୍ତା କରୁଛନ୍ତି ବୋଲି ପାଲେଷ୍ଟିନୀୟ ରେଡ୍‌ କ୍ରିସେଣ୍ଟ ମୁଖପାତ୍ର ନେବାଲ ଫରସାଖ୍‌ କହିଛନ୍ତି। ଯୁଦ୍ଧରେ ଉଭୟ ପକ୍ଷରୁ ୩,୦୦୦ରୁ ଅଧିକ ଲେକାଙ୍କ ମୃତ୍ୟୁ ଘଟିବା ସହ ଉତ୍ତେଜନା ବଢ଼ିବାରେ ଲାଗିଛି। ଲେବାନନ୍‌ର ହେଜବୋଲ୍ଲା ଆତଙ୍କବାଦୀ ସଂଗଠନ ଉପରେ ଇସ୍ରାଏଲ୍‌ ଆକ୍ରମଣ କରିଥିବାରୁ ଯୁଦ୍ଧ ଅଧିକ ଅଞ୍ଚଳକୁ ବ୍ୟାପିବା ଆଶଙ୍କା ସୃଷ୍ଟି ହୋଇଛି। ଶୁକ୍ରବାର ମୁସଲମାନଙ୍କ ନମାଜ ପାଠ ବେଳେ ଆଖପାଖ ଦେଶଗୁଡ଼ିକରେ ଉତ୍ତେଜନା ଦେଖାଦେଇଛି।
ଶନିବାର ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲ୍‌ ଉପରେ ଅତର୍କିତ ଆକ୍ରମଣ କରିବା ପରେ ଜେରୁଜେଲମ୍‌ ପକ୍ଷରୁ ଗାଜା ଉପରେ କ୍ରମାଗତ ବୋମାମାଡ଼ ଜାରି ରହିଛି। ଆତଙ୍କବାଦୀମାନେ ଇସ୍ରାଏଲ୍‌ ଉପରେ ହଜାର ହଜାର ରକେଟ ମାଡ଼ କରିବା ସହ ଏହାର ଦକ୍ଷିଣ ଭାଗରେ ଥିବା କେତେକ ସହରରେ ପ୍ରବେଶ କରି ଛୋଟ ପିଲାଙ୍କ ସମେତ ବହୁ ଲୋକଙ୍କୁ ହତ୍ୟା କରିଥିଲେ। ସେମାନେ ୧୫୦ ଲୋକଙ୍କୁ ଅପହରଣ କରି ଗାଜାକୁ ନେଇଯାଇଛନ୍ତି।

Share