ମସ୍‌ଜିଦରେ ହେବ ସାମୂହିକ ନମାଜ ପାଠ

ସମ୍ବଲପୁର,୨୧ା୪(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ପଥରମାଡ଼ ଓ ପୋଡ଼ାଜଳା ଘଟଣା ପରେ ସହର ଅଶାନ୍ତ ହୋଇପଡ଼ିଥିଲା। ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଶାନ୍ତି ଫେରିନାହିଁ। କର୍ଫ୍ୟୁ ଲାଗିଥିବା ବେଳେ ମୋବାଇଲ ନେଟ୍‌ସେବା ବନ୍ଦ ରହିଛି। ରମ୍‌ଜାନ ମାସର ଶେଷ ଶୁକ୍ରବାର ଓ ଇଦୁଲ୍‌ଫିତର ଥିବାରୁ ମସ୍‌ଜିଦରେ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି। ସମ୍ବଲପୁର ମହାନଗର ନିଗମ ଅଧୀନରେ ୧୦ଟି ମସ୍‌ଜିଦ ରହିଛି। ସେଥିମଧ୍ୟରେ ୬ଟି ସମ୍ବେଦନଶୀଳ ସ୍ଥାନ ରହିଛି। ଏସବୁ ସ୍ଥାନରେ ଥିବା ମସ୍‌ଜିଦ ସମ୍ମୁଖରେ ପୋଲିସ ଅଧିକାରୀଙ୍କ ସହ ୧ ପ୍ଲାଟୁନ ଲେଖାଏ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଅନ୍ୟ ମସ୍‌ଜିଦ ସମ୍ମୁଖରେ ସେକ୍ସନ ଅଫିସରଙ୍କୁ ନେଇ ଟିମ୍‌ ନିୟୋଜିତ ରହିଛି। ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରିଦିଆଯାଇଛି। ୨୪ ଘଣ୍ଟିଆ ସୁରକ୍ଷାରେ ମସ୍‌ଜିଦଗୁଡିକୁ ରଖାଯାଇଛି। ଶନିବାର ଇଦୁଲ୍‌ଫିତର ଥିବାରୁ ସାମୂହିକ ନମାଜ ପାଠ ହେବ। ହେଲେ କର୍ଫ୍ୟୁ ପାଇଁ ଚଳିତବର୍ଷ ଇଦ୍‌ଗାରେ ସାମୂହିକ ନମାଜ ପାଠ ହେବ ନାହିଁ। ତେଣୁ ମସ୍‌ଜିଦରେ ସାମୂହିକ ନମାଜ ପାଠ ବ୍ୟବସ୍ଥା ରହିଛି। ମସ୍‌ଜିଦ କମିଟି ପକ୍ଷରୁ ନମାଜ ପାଠ ପାଇଁ ଅନୁମତି ମଗାଯାଇଥିଲା। ପ୍ରଶାସନ ପକ୍ଷରୁ ସେମାନଙ୍କୁ ଅନୁମତି ଦିଆଯାଇଛି। ଏ ସମ୍ପର୍କରେ ଏସ୍‌ପି ବାତୁଳା ଗଙ୍ଗାଧର କହିଛନ୍ତି, ପରିସ୍ଥିତିରେ ସୁଧାର ଆସିଛି। ସହରରେ ଶାନ୍ତି ଫେରୁଛି। ନମାଜ ପାଠ ପାଇଁ ଅନୁମତି ଦିଆଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ପୋଲିସ ମୁତୟନ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ନିୟମ ଅନୁସରଣ କରିବାକୁ ଏସ୍‌ପି ଅନୁରୋଧ କରିଛନ୍ତି।

Share