Categories: ଜାତୀୟ

ଦୀର୍ଘ ସମୟ ପରେ ଜାମା ମସ୍‌ଜିଦ୍‌ରେ ସମୂହ ନମାଜ ପାଠ: ପବିତ୍ର ଇଦ୍‌ରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି

ନୂଆଦିଲ୍ଲୀ,୧।୮: ସମଗ୍ର ଦେଶରେ ଶନିବାର ଇଦ୍‌-ଉଲ୍‌-ଜୁହା ବା ପବିତ୍ର ଇଦ୍‌ ପାଳନ କରାଯାଇଛି। ଶନିବାର ଦିଲ୍ଲୀ ସ୍ଥିତ ଜାମା ମସ୍‌ଜିଦ୍‌ରେ ଦୀର୍ଘ ଦିନ ପରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଏକାଠି ହୋଇ ସମୂହ ନମାଜ ପାଠ କରିଛନ୍ତି। କାରଣ ମହାମାରୀ କରୋନା ସଙ୍କଟ ଯୋଗୁ ମାର୍ଚ୍ଚରୁ ସମସ୍ତ ଧାର୍ମିକ ସ୍ଥଳ ବନ୍ଦ ଥିବା ବେଳେ ଉକ୍ତ ସମୂହ ନମାଜ ପାଠ ମଧ୍ୟ ବନ୍ଦ ହୋଇଯାଇଥିଲା। ହୋଇ ଇଦ୍‌ ପାଇଁ ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ମାସ୍କ ପିନ୍ଧି ସମୂହ ନମାଜ ପାଠ କରିବାକୁ ଅନୁମତି ଦିଆଯାଇଥିଲା। ସୁଚନା ମୁତାବକ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜାମା ମସ୍‌ଜିଦ୍‌ ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଏଠାକୁ ଆସୁଥିବା ସମସ୍ତ ଲୋକଙ୍କୁ ସ୍କ୍ରିନିଂ କରାଯିବା ପରେ ପୋଲିସ କର୍ମୀ ସେମାନଙ୍କୁ ମସ୍‌ଜିଦ୍‌ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେବା ସହ ବାରମ୍ବାର ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ନିବେଦନ କରିଥିଲେ। କିନ୍ତୁ ଏହି ସମୟରେ କେତେକ ବ୍ୟକ୍ତି ସାମଜିକ ଦୂରତ୍ୱ ବଜାୟ ରଖି ନିଜର ପ୍ରାର୍ଥନା ସମ୍ପନ୍ନ କରିଥିବା ବେଳେ ଆଉ କେତେକ ନିୟମ ଉଲ୍ଲଂଘନ କରିଥିବା ନଜର ଆସିଛି। ଅପରପକ୍ଷେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଟୁଇଟ କରି ଲେଖିଛନ୍ତି, ଇଦ୍‌-ଉଲ୍‌-ଜୁହା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା। ଏହି ଦିନ ଆମକୁ ଏକ ନ୍ୟାୟପୂର୍ଣ୍ଣ, ସୁସଙ୍ଗତ ଓ ଅନ୍ତର୍ଭୂକ୍ତ ସମାଜ ଗଠନ ପାଇଁ ପ୍ରେରଣା ଦେଇଥାଏ। ତେବେ ଏହି ଅବସରରେ ଭାଇଚାରା ଓ କରୁଣାର ଭାବନାକୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଟୁଇଟ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଆବଶ୍ୟକୀୟ ଲୋକଙ୍କୁ ସାହାଯ୍ୟ କରିବା ଓ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରିବାକୁ କୋବିନ୍ଦ ପରାମର୍ଶ ଦେଇଛନ୍ତି।

Share