ଯୁବତୀଙ୍କୁ ଗଣ ବଳାତ୍କାର: ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ୍‌

ଝାରସୁଗୁଡ଼ା ଅଫିସ,୮।୫: ଝାରସୁଗୁଡ଼ା ବସ୍‌ଷ୍ଟାଣ୍ଡ ଆଖପାଖ ଅଞ୍ଚଳ ରେଲଓ୍ବେ ପୋଲିସ ଓ ଓଡ଼ିଶା ପୋଲିସ ଅଧୀନରେ ରହିଛି। ଅନେକ ସମୟରେ ଉଭୟ ପୋଲିସ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ଉକ୍ତ ଅଞ୍ଚଳରେ ଅପରାଧୀମାନେ ଅସାମାଜିକ କାର୍ଯ୍ୟ ଘଟାଇ ଚାଲିଛନ୍ତି। ଏଠାରେ ଗଣବଳାତ୍କାର ଭଳି ଏକ ଲଜ୍ଜାଜନକ ଘଟଣାର ଭିଡିଓ ସମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି।
ଲକ୍‌ଡାଉନ୍‌ ସମୟରେ ଉଭୟ ପୋଲିସ ତରଫରୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏପରି ସମୟରେ ଦୁର୍ବୃତ୍ତମାନେ ଗତ ଗୁରୁବାର ଦିନ ଦ୍ୱିପ୍ରହରରେ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ରେଲଓ୍ବେର ଏକ ପରିତ୍ୟକ୍ତ କୋଠାରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର କରିଥିଲେ। ଯୁବତୀ ଜଣଙ୍କ ପାଟି କରିବାରୁ ନିକଟରେ ଥିବା କେତେଜଣ ଯୁବକ ପହଞ୍ଚତ୍ ଏହାକୁ ବିରୋଧ କରିବା ସହ ମୋବାଇଲରେ ଘଟଣାର ଭିଡିଓ ଉତ୍ତୋଳନ କରିଥିଲେ। ଫଳରେ ବଳାତ୍କାରୀ ଘଟଣାସ୍ଥଳ ଛାଡି ଚାଲିଯାଇଥିଲେ। ଏହି ଭିଡିଓ ଭାଇରାଲ୍‌ ହେବାପରେ ଘଟଣାଟି ଲୋକଲୋଚନକୁ ଆସିଛି। ଘଟଣା ସମ୍ପର୍କରେ ଜିଲା ଶିଶୁ ସୁରକ୍ଷା ସମିତି (ସିଡବ୍ଲ୍ୟୁସି) ଅଧ୍ୟକ୍ଷା ଆନନ୍ଦିନୀ ପାଢୀ ଝାରସୁଗୁଡ଼ା ରେଲଓ୍ବେ ପୋଲିସ ଦୃଷ୍ଟିକୁ ଆଣିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେହିପରି ସମଲେଶ୍ୱରୀ ମା’ ଘର ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷା ପଦ୍ମିନୀ ସିଂ ଏହାକୁ ନିନ୍ଦା କରିବା ସହ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡବିଧାନ କରିବା ପାଇଁ ଦାବି କରିଛନ୍ତି। ଅନ୍ୟପକ୍ଷେ ରେଲଓ୍ବେ ପୋଲିସର ରାଉରକେଲା ଏସ୍‌ପି ଝାରସୁଗୁଡ଼ା ରେଲଓ୍ବେ ପୋଲିସକୁ କେସ୍‌ କରି ତଦନ୍ତ ପାଇଁ ଟୁଇଟ୍‌ ଯୋଗେ ନିର୍ଦ୍ଦେଶ ଦେଇଛନ୍ତି। ତଦନୁଯାୟୀ ରେଲଓ୍ବେ ପୋଲିସ ଝାରସୁଗୁଡ଼ା ଜିଆର୍‌ପି ଥାନା କେସ୍‌ (ନଂ.୨୪/୨୧)ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବୋଲି ଜିଆର୍‌ପି ଥାନା ଆଇଆଇସି ସୌଦାମିନୀ ନାଗ କହିଛନ୍ତି। ଝାରସୁଗୁଡ଼ା ଏସ୍‌ପି ବିକାଶ ଚନ୍ଦ୍ର ଦାସ ଏହା ଜାଣିବା ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ବଳରେ ଭିଡିଓକୁ ଆଧାରକରି ଝାରସୁଗୁଡ଼ା ଟାଉନ ଥାନା ଆଇଆଇସି ସାବିତ୍ରୀ ବଳ ମୁଖ୍ୟ ଅଭିଯୁକ୍ତଙ୍କୁ ଧରି ଜିଆର୍‌ପି ଥାନା ପୋଲିସକୁ ହସ୍ତାନ୍ତର କରିଛି। ଗିରଫ ଅଭିଯୁକ୍ତ ହେଲେ ଲଇକେରା ଥାନା ନକ୍ସାପାଲି ଗ୍ରାମର ହେମରାଜ ବେସନ (୨୯)। ଏଥିରେ ସମ୍ପୃକ୍ତ ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବା ସହ ପୀଡିତା ଯୁବତୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଏସ୍‌ପି ଦାସ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

Share