Categories: ଜାତୀୟ

ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ଆତଙ୍କବାଦୀଙ୍କୁ ଗିରଫ କଲା ଏନ୍‌ଆଇଏ

କୋଲକାତା, ୨୭।୯: ଦେଶରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ପକ୍ଷରୁ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲାର ଜଲଙ୍ଗି ଥାନା ଅନ୍ତର୍ଗତ ନନ୍ଦପାରା କାଳିଙ୍ଗଜ ଅଞ୍ଚଳରୁ ସନ୍ଦିଗ୍ଧ ଅଲ୍‌କାଏଦା ଆତଙ୍କବାଦୀ ସମିମ୍‌ ଅନସାରୀଙ୍କୁ ଗିରଫ କରାଯାଇଛି। ତାଙ୍କୁ ମୁର୍ସିଦାବାଦ ଜିଲାର ନ୍ୟାୟିକ ଅଧିକାରୀ(ସିଜେଏମ୍‌)ଙ୍କ ସମ୍ମୁଖରେ ହାଜର କରାଯିବା ପରେ ଟ୍ରାଞ୍ଜିଟ୍‌ ରିମାଣ୍ଡ୍‌ରେ ନିଆଯାଇଛି। ଏବେ ସମିମ୍‌ଙ୍କୁ ଏନ୍‌ଆଇଏର ଦିଲ୍ଲୀସ୍ଥିତ ସ୍ବତନ୍ତ୍ର ଅଦାଲତରେ ହାଜର କରାଯିବ। ସେଠାରେ ତାଙ୍କୁ ଅଧିକ ପଚରା ଉଚରା କରାଯିବ ବୋଲି ଏନ୍‌ଆଇଏ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ସେପ୍ଟେମ୍ବର ୧୯ରେ କେରଳର ଏର୍ନାକୁଲମ୍‌ ଜିଲା ଏବଂ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲାରେ ଚଢ଼ାଉ କରାଯାଇ ୯ ଜଣ ଅଲ୍‌କାଏଦା ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା।

Share