Categories: ଜାତୀୟ

ମଣିପୁରରେ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର-ବିସ୍ଫୋରକ ଜବତ କଲା ଆସାମ ରାଇଫଲ୍ସ…

ଇମ୍ଫାଲ,୨୭।୬ : ଆସାମ ରାଇଫଲ୍ସ ଏବଂ କୋହିମା ପୋଲିସ ଏକ ବଡ଼ ସଫଳତା ମିଳିଛି। ମଣିପୁରରେ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଆସାମ ରାଇଫଲ୍ସ ନାଗାଲାଣ୍ଡ ପୋଲିସ ସହିତ ସମନ୍ବୟ ରକ୍ଷା କରି ଏହି ଅପରେଶନ କରିଥିଲା। ମଣିପୁରରେ ଏକ ମାସରୁ ଅଧିକ ସମୟ ଧରି ହିଂସା ଚାଲିଆସୁଛି ଏବଂ ସେଠାରେ ହିଂସା ଘଟଣାରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ଏନେଇ ଏକ ବିବୃତ୍ତି ଜାରି କରି କହିଛି। ସୁରକ୍ଷା ବାହିନୀ ଗୁପ୍ତଚର ସୂଚନା ଆଧାରରେ ସର୍ଚ୍ଚ ଅପରେଶନ କରି ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର-ବିସ୍ଫୋରକ ଜବତ କରିଛି। ସୂଚନାରେ କୁହାଯାଇଥିଲା କେତେକ ସନ୍ଦିଗ୍ଧ ହିଂସାକାଣ୍ଡ ଘଟାଇବା ଲାଗି ମଣିପୁରକୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରିବାକୁ ଚେଷ୍ଟା କରୁଛନ୍ତି। ସୂଚନାକୁ ଭିତ୍ତି କରି ଆସାମ ରାଇଫଲ୍ସ ଏବଂ କୋହିମା ପୋଲିସ ମିଳିତ ଅପରେଶନ ଆରମ୍ଭ କରିଥିଲେ। ଅପରେଶନର ଏକ ଅଂଶ ଭାବରେ, ଜୁନ ୨୬ ତାରିଖ ରାତି ପ୍ରାୟ ୨ ଟା ବେଳେ ପୋଲିସ ଏକ ଗାଡିରେ କିଛି ସନ୍ଦିଗ୍ଧଙ୍କୁ ଦେଖିଥିଲା। ସେମାନଙ୍କୁ ଗୋଡ଼ାଇବା ପରେ ଅଭିଯୁକ୍ତମାନେ ସକାଳ ପ୍ରାୟ ୬ ଟାରେ ଧରାପଡିଥିଲେ। ସୁରକ୍ଷା ବାହିନୀ ସନ୍ଦିଗ୍ଧଙ୍କ ନିକଟରୁ ଦୁଇଟି ପିସ୍ତଲ, ଚାରିଟି ମାଗାଜିନ, ବିସ୍ଫୋରକ ସାମଗ୍ରୀ ଏବଂ ଅନ୍ୟାନ୍ୟ ଜିନିଷ ଜବତ କରିଛନ୍ତି।

ମଣିପୁରରେ ଏପର୍ଯ୍ୟନ୍ତ ୧୧୦୦ ଅସ୍ତ୍ରଶସ୍ତ୍ର, ୧୩,୭୦୨ ଗୁଳି, ୨୫୦ ବୋମା ଏବଂ ଅନ୍ୟାନ୍ୟ ଜିନିଷ ଉଦ୍ଧାର କରାଯାଇଛି। ରାଜ୍ୟରେ ଶାନ୍ତି ପାଇଁ ହିଂସା ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବାହିନୀ ଫ୍ଲାଗ ମାର୍ଚ୍ଚ କରୁଛନ୍ତି।

Share