ବ୍ରାହ୍ମଣୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକରେ ବ୍ୟାପକ କ୍ଷତି

ପଟ୍ଟାମୁଣ୍ଡାଇ, ୮।୮(ଅକ୍ଷୟ ବିଶ୍ୱାଳ): ଚଳିତ ବ୍ରାହ୍ମଣୀ ଓ କାଣୀ ନଦୀର ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅର୍ଥକରୀ ପନିପରିବା ଫସଲ ସମେତ ଧାନ ଫସଲ ନଷ୍ଟ ହୋଇଯାଇଛି। ଫଳରେ ଚାଷୀମାନେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକର ୩୧ଟି ପଞ୍ଚାୟତ ମଧ୍ୟରୁ ଧୋୟାଞ୍ଚଳରେ ଥିବା ୧୧ଟି ପଞ୍ଚାୟତ ଓ ମ୍ୟୁନିସିପାଲିଟିର ୨୦ଟି ଓ୍ବାର୍ଡ ମଧ୍ୟରୁ ୧୧ଟି ଓ୍ବାର୍ଡ ସମେତ ୧ଟି ଆଂଶିକ ଓ୍ବାର୍ଡର ମୋଟ ୮୫ ହଜାର ଲୋକ ବିପନ୍ନ ହୋଇଛନ୍ତି।
ବ୍ଲକରେ ପ୍ରବାହିତ ବ୍ରାହ୍ମଣୀ ସହ ଖରସ୍ରୋତାର ଶାଖା କାଣୀ ନଦୀରେ ୩ ଦିନ ତଳେ ବନ୍ୟାଜଳ ମାଡ଼ି ଆସିଥିଲା। ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇ ଜଳବନ୍ଦୀ ହୋଇପଡ଼ିଥିଲେ। ପାରଉତ୍ତାର ପାଇଁ ଡଙ୍ଗା କି ଭୁଟୁଭୁଟି ଯୋଗାଇ ଦେବାରେ ପ୍ରଶାସନ ଅବହେଳା କରିଥିଲା। ଲୋକେ ବହୁ କଷ୍ଟରେ ବନ୍ୟା ସ୍ରୋତରେ ପଶି ନିଜର ନିତିଦିନିଆ କାମ କରିଥିଲେ। ପଟ୍ଟାମୁଣ୍ଡାଇ ବ୍ଲକର ଅଳପୁଆ, ତରଡ଼ିପାଳ, ପେଣ୍ଠପାଳ, ସିଂହଗଁା, ବଲୁରିଆ, ଅମୃତମଣୋହି, ଅଣ୍ଢରା, ଶାସନ(ଆଂଶିକ), ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର, ନୀଳକଣ୍ଠପୁର, ବାଛରା ଓ ବାଲିପାଟଣା ସମେତ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ଷଣ୍ଢପଲୀ, ତନୁପୁର, ବାଲିପଡ଼ା, କଷଣଅଣ୍ଟା, ନୂଆଗାଁ, କାକୁଡ଼ିପଲ୍ଲୀ, ଅଳଭା ପ୍ରଭୃତ ୧୧ଟି ଓ୍ବାର୍ଡରେ ସମସ୍ତ ଚାଷଜମି ଜଳମଗ୍ନ ହୋଇପଡ଼ିଛି। କୃଷି ବହୁଳ ଗଁାଗୁଡିକରେ ଅର୍ଥକରୀ ଫସଲ କାକୁଡ଼ି, ଜହ୍ନି, କଲରା, ଭେଣ୍ଢି, ପୋଇ, କଖାରୁ, ପୋଟଳ, ବାଇଗଣ ପ୍ରଭୃତି ଅର୍ଥକାରୀ ଫସଲ ବୁଡ଼ିଯିବା ଫଳରେ ପଚି ନଷ୍ଟ ହୋଇଯାଇଛି। ପଟ୍ଟାମୁଣ୍ଡାଇ ବିଡିଓ ଶୁଭ୍ରାଂଶୁ ସାହୁ, ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଓ କୃଷି ଅଧିକାରୀ ବନ୍ୟା ଅଞ୍ଚଳ ବୁଲି ଦେଖିବା ସହିତ ବନ୍ୟାଞ୍ଚଳବାସୀଙ୍କ ସହ ଫସଲହାନି ସର୍ଭେ କଥା ହୋଇଛନ୍ତି। ବିଶେଷକରି ଅଳପୁଆ ପଞ୍ଚାୟତର ଗୋଜିଆକଣ ରାସ୍ତାରେ ୧୫ ଫୁଟର ଘାଇ ହେବା ଯୋଗୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଲୋକେ ଗୃହବନ୍ଦୀ ହୋଇ ପଡିଛନ୍ତି। ଏହି ଘାଇ ହେବା ଫଳରେ ଅଳପୁଆ ପଞ୍ଚାୟତର ସେଠୀସାହି, ମଣିରାମପୁର, ସୁବଳପୁର, ଜେନାସାହି, ବିଶ୍ୱାଳସାହି, ମିଶ୍ରବାଗ ପ୍ରଭୃତି ଅଞ୍ଚଳ ଜଳମଗ୍ନ ହୋଇ ଗୃହବନ୍ଦୀ ହୋଇ ପଡ଼ିଛନ୍ତି। ଗୋଜିଆକଣଠାରେ ହୋଇଥିବା ଘାଇ ତୁରନ୍ତ ମରାମତି ପାଇଁ ବିଭାଗୀୟ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରାପଡ଼ା ବିଧାୟକ ବେହେରା ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗଁା ପଞ୍ଚାୟତ ବନ୍ୟା ହ୍ରାସ ପାଇଥିଲେ ମଧ୍ୟ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ସିଂହଗଁା ପଞ୍ଚାୟତର କୃଷ୍ଣଦାସପୁର, ରାଉଳିଆଡିଆ, ପାଣିସାଉଁଳିଆ, ନୂଆଗଁା ପ୍ରଭୃତି ଅଞ୍ଚଳ ଜଳମଗ୍ନ ହୋଇପଡିଛି। ସେହିପରି ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ଅଞ୍ଚଳର ତନୁପୁର, ବାଲିପଡା, କଷଣଅଣ୍ଟା, କାକୁଡିପଲ୍ଲୀ, ବଳଦେବନଗର, ତଳବାଲିପଡା, ସିଦ୍ଦପାଟଣା, ନୂଆଗଁା ଅଞ୍ଚଳର ଶହ ଶହ ଏକର ଫସଲ ବୁଡ଼ି ନଷ୍ଟ ହୋଇଯାଇଛି। ବନ୍ୟା କମିଲେ ତଦନ୍ତ କରାଯାଇ ବ୍ୟାପକ ଫସଲ କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ କରାଯିବ ବୋଲି ବିଡିଓ ସାହୁ କହିଛନ୍ତି। ବନ୍ୟାଞ୍ଚଳର ୧୫ ହଜାର ଗୃହପାଳିତ ପଶୁ ଖାଦ୍ୟ ନ ପାଇ ଖୁଣ୍ଟରେ ବନ୍ଧା ହୋଇ ଡହଳବିକଳ ହୋଉଛନ୍ତି। ସରକାର ଗୋ-ଖାଦ୍ୟ ସହ ବିପନ୍ନ ଲୋକଙ୍କ ପାଇଁ ଖାଦ୍ୟ ଯୋଗାଇଦେବାକୁ ବନ୍ୟାଞ୍ଚଳବାସୀ ଦାବି କରିଛନ୍ତି।