ଇଂଲଣ୍ଡର ଜଣେ ପୋଲିସ ଅଧିକାରୀ ତାଙ୍କର ବିଶେଷ ପ୍ରତିଭା ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ଚେହେରା ଚିହ୍ନିବାରେ ଏହି ଅଧିକାରୀ ଜଣଙ୍କ ପାଖରେ ବିଶେଷ ଦକ୍ଷତା ରହିଛି। ପୋଲିସ କମ୍ୟୁନିଟି ସପୋର୍ଟ ଅଫିସର୍ ଆଣ୍ଡି ପୋପ୍ଙ୍କର ଏପରି ଅଦ୍ଭୁତ ସାମର୍ଥ୍ୟ ରହିଛି। ବର୍ତ୍ତମାନ ସୁଦ୍ଧା ୨୦୦୦ରୁ ଅଧିକ ସନ୍ଦିଗ୍ଧ ଅପରାଧୀଙ୍କୁ ସେ ଚିହ୍ନଟ କରିସାରିଲେଣି। ତାଙ୍କର ପ୍ରତିଭା ଯୋଗୁ ତାଙ୍କୁ ମେମୋରି ମ୍ୟାନ୍ ମଧ୍ୟ କୁହାଯାଏ।
ପଶ୍ଚିମ ମିଡଲ୍ୟାଣ୍ଡ ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ୪୩ ବର୍ଷୀୟ ଆଣ୍ଡି ଏ ସମ୍ପର୍କରେ କହିଛନ୍ତି, ଚଳିତ ବର୍ଷ ବହୁତ ଚ୍ୟାଲେଞ୍ଜିଂ ହୋଇଛି। କିନ୍ତୁ ମୁଁ ମୋର ପରିବର୍ତ୍ତନ ପାଇଁ ପ୍ରସ୍ତୁତ ଅଛି। ଯେପରି କରୋନା ମହାମାରୀ ପୂର୍ବରୁ କରିଥିଲି। ପୋଲିସ ଫୋର୍ସ ଦ୍ୱାରା ଓ୍ବାଣ୍ଟେଡ ଲିଷ୍ଟରେ ଥିବା ଫଟୋ ସହିତ ନିଜକୁ ସମ୍ପୂର୍ଣ୍ଣ ଭାବେ ଅପଡେଟ୍ ରଖିବା ପ୍ରୟାସ ସେ ଜାରି ରଖିଛନ୍ତି।
ଆଣ୍ଡି ବିର୍ମିଂହାମ୍ରେ ପରିବହନ ହବ୍ ଉପରେ ପାଟ୍ରୋଲିଂ ଜାରି ରଖିଛନ୍ତି। ସେ ଏହି ଅପରାଧୀଙ୍କୁ ସିସିଟିଭି କ୍ୟାମେରା, ଭିଡିଓ ଏବଂ ପୋଲିସର ସଂକ୍ଷିପ୍ତ ସହାୟତାରେ ଧରିଥାନ୍ତି। ଥରେ ସେ ଯେଉଁ ଚେହେରା ଦେଖଥାନ୍ତି ତାକୁ ସେ ଆଦୌ ଭୁଲିନଥାନ୍ତି।
୨୦୧୨ ମସିହାରୁ ଆଣ୍ଡି ତାଙ୍କର ଏହି ପ୍ରତିଭାକୁ ବ୍ୟବହାର କରିଆସୁଛନ୍ତି। ଏବଂ ପରବର୍ତ୍ତୀ ଛଅ ବର୍ଷ ମଧ୍ୟରେ ସେ ୧୦୦୦ ଫେରାର ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛନ୍ତି। ୨୦୨୦ ସୁଦ୍ଧା ଏହି ସଂଖ୍ୟା ୨୦୦୦ ଅତିକ୍ରମ କରିଛି। ଏହା ଆହୁରି ବୃଦ୍ଧି ପାଇବ ବୋଲି ଆଣ୍ଡି କୁହନ୍ତି।
ତାଙ୍କ ପ୍ରତିଭା ବିଷୟରେ ଆଣ୍ଡି କୁହନ୍ତି, ଅନେକ ଲୋକ ମୋତେ ଏ ବିଷୟରେ ପଚାରିଛନ୍ତି କିନ୍ତୁ ଏହାକୁ ବୁଝାଇବା ମୋ ପକ୍ଷେ ସମ୍ଭବ ନୁହେଁ। ମୁଁ ଭାବୁଛି ଏହା ହେଉଛି ଏକ ପ୍ରବୃତ୍ତି, ଯାହା ମଣିଷ ପାଖରେ ଅଛି। ମୁଁ ବହୁତ ଭାଗ୍ୟବାନ ଯେ ଏହା ସଠିକ୍ ଭାବରେ କରିପାରୁଛି।