Categories: ଜାତୀୟ

ହାଇଦ୍ରାବାଦ ଗୋଦାମରେ ଅଗ୍ନିକାଣ୍ଡ: ୧୧ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୨୩।୩: ହାଇଦ୍ରାବାଦରେ ଏକ ଭୟାବହ ଦୁର୍ଘଟଣା ଘଟିଛି। ବୋୟାଗୁଡ଼ା ଅଞ୍ଚଳରେ ଏକ କବାଡ଼ିଆ ଦୋକାନରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ୧୧ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତ ବ୍ୟକ୍ତି ସମସ୍ତ ବିହାର ଛପରାର ଆଜମପୁରା ଗ୍ରାମର ହୋଇଥିବା ବେଳେ ଏଠାକାର କବାଡ଼ିଆ ଦୋକାନରେ ସେମାନେ କାର୍ଯ୍ୟ କରୁଥିଲେ। ସୂଚନା ମୁତାବକ, ଉକ୍ତ ଗୋଦାମରେ ୧୨ଜଣ ଉପସ୍ଥିତ ଥିଲେ। ନିଆଁ ଲାଗିବାରୁ ୧୧ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ ଯୋଗୁ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ତଦନ୍ତ ଜାରି ରଖିଛି। ଅନ୍ୟପଟେ ଏହି ଦୁର୍ଘଟଣାକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଶୋକ ବ୍ୟକ୍ତ କରିଛନ୍ତି। ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହ ଶବ ବ୍ୟବଚ୍ଛେଦ ପରେ ସେମାନଙ୍କ ମୃତଦେହକୁ ବିହାର ପଠାଇବାକୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ନିର୍ଦ୍ଦେଶ ଦେଇଛନ୍ତି। ମୃତଦେହ ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ବେଳେ ସେମାନଙ୍କ ପରିଚୟ ମିଳିପାରି ନ ଥିବାରୁ ଡିଏନ୍‌ଏ ଟେଷ୍ଟ କରାଯିବ।

Share