କାଟାଲାନ୍‌ ବିଦ୍ରୋହୀଙ୍କୁ କ୍ଷମାଦାନ ପ୍ରତିବାଦରେ ସ୍ପେନ୍‌ରେ ବିଶାଳ ବିକ୍ଷୋଭ

ମାଡ୍ରିଡ୍‌,୧୪ା୧୧: ୨୦୧୭ରେ ଗଣଭୋଟ ଜରିଆରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ସ୍ବାଧୀନ ରାଷ୍ଟ୍ର ଗଠନ ଉଦ୍ୟମ କରି ବିଫଳ ହୋଇଥିବା କାଟାଲାନ୍‌ ବିଚ୍ଛିନ୍ନତାବାଦୀମାନଙ୍କୁ କ୍ଷମାଦାନ ପାଇଁ ସ୍ପେନ୍‌ର ସୋସିଆଲିଷ୍ଟ ସରକାର ନିଷ୍ପତ୍ତି ନେଇଥିବାରୁ ଏହାକୁ ବିରୋଧ କରି ଦକ୍ଷିଣପନ୍ଥୀ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ରବିବାର ଦେଶବ୍ୟାପୀ ବିଶାଳ ରାଲିର ଆୟୋଜନ କରାଯାଇଥିଲା। ଏଥିରେ ଲକ୍ଷ ଲକ୍ଷ ସ୍ପେନ୍‌ ବାସିନ୍ଦା ଯୋଗଦେଇଥିଲେ। ଦେଶରେ ରାଜନୈତିକ ମତଭେଦ ଜୋର୍‌ ଧରିଥିବାବେଳେ ନୂଆ ସରକାର ଗଠନ ପାଇଁ ପ୍ରଧାନମନ୍ତ୍ରୀ ପେଡ୍ରୋ ସାନ୍‌ଚେଜ୍‌ ସମର୍ଥନ ଯୋଗାଡ଼ କରିବା ସକାଶେ ବିଚ୍ଛିନ୍ନତାବାଦୀମାନଙ୍କୁ କ୍ଷମାଦାନ ପାଇଁ ପ୍ରସ୍ତାବ ଦେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତିକୁ ନେଇ ଦକ୍ଷିଣପନ୍ଥୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ସ୍ବାଧୀନ ରାଷ୍ଟ୍ର ଗଠନ ପାଇଁ ଉଦ୍ୟମ ଚଳାଇଥିବା ବିଦ୍ରୋହୀଙ୍କୁ କ୍ଷମା ଦେବାକୁ ସେମାନେ ଗ୍ରହଣ କରିପାରୁ ନାହାନ୍ତି। ଏହା ଆଇନର ଶାସନ ପ୍ରତି ଆକ୍ରମଣ ବୋଲି ସେମାନେ କହିଥିବାବେଳେ ଦେଶରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଦେଶର ୫୨ଟି ବୃହତ୍‌ ସହରରେ ବିକ୍ଷୋଭକାରୀମାନେ ସରକାରଙ୍କ ନିଷ୍ପତ୍ତିର ପ୍ରତିବାଦ ଜଣାଇଛନ୍ତି। ରକ୍ଷଣଶୀଳ ମୁଖ୍ୟ ବିରୋଧୀ ଦଳ ପପୁଲାର ପାର୍ଟି ଓ ଏହାର ସହଯୋଗୀ ଦଳଗୁଡ଼ିକ ପକ୍ଷରୁ ବିକ୍ଷୋଭ ଡାକରା ଦିଆଯାଇଥିଲା। ନୂଆ ନିର୍ବାଚନ ନ ହେବା ପର୍ଯ୍ୟନ୍ତ ଆମେ ଚୁପ୍‌ ବସିବୁ ନାହିଁ ବୋଲି ପପୁଲାର ପାର୍ଟି ନେତା ଆଲବେଟ୍ରୋ ନୁନେଜ୍‌ ଫେଇଜୁ ମାଡ୍ରିଡ୍‌ଠାରେ ଉଦ୍‌ବୋଧନ ଦେଇ କହିଛନ୍ତି। ଗତ ଜୁଲାଇରେ ହୋଇଥିବା ନିର୍ବାଚନରେ ଫେଇଜୁଙ୍କ ଦଳ ପ୍ରଥମ ସ୍ଥାନରେ ରହିଥିଲେ ମଧ୍ୟ ପାର୍ଲାମେଣ୍ଟରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନ ଥିଲା। ଫଳରେ ସାନ୍‌ଚେଜ୍‌ ସରକାର ଗଢ଼ିବା ପାଇଁ କ୍ଷମାଦାନକୁ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଚାହୁଁଛନ୍ତି।

Share