ଆଇଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ, ୧୭ ଜିଲାପାଳ ବଦଳିଲେ

ଭୁବନେଶ୍ୱର,୮।୮(ଅନିଲ ଦାସ)ରାଜ୍ୟ ସରକାର ଆଇଏଏସ୍‌ ଏବଂ ବରିଷ୍ଠ ଓଏଏସ୍‌ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏନେଇ ବୁଧବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୧୭ ଜଣ ଜିଲାପାଳଙ୍କୁ ବଦଳି କରାଯାଇଛି। ୨୦୦୯ ବ୍ୟାଚ୍‌ ଆଇଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହିତ ତାଙ୍କୁ ଓଡ଼ିଶା ପରିବାରର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ସେହିପରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଥିବା ଦିଲୀପ ରାଉତରାୟଙ୍କୁ ଭଦ୍ରକ ଜିଲାପାଳ ଭାବେ ବଦଳି କରାଯାଇଛି। ୨୦୧୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ବାଲେଶ୍ୱର ଜିଲାପାଳ ଆଶିଷ ଠାକ୍‌ରେଙ୍କୁ
ଆଇଏଏସ୍‌ ଅଫିସର କଟକସ୍ଥିତ ବୋର୍ଡ ଅଫ୍‌ ରେଭିନ୍ୟୁର ସମ୍ପାଦକ ଭାବେ ବଦଳି କରାଯାଇଥିବାବେଳେ ନବରଙ୍ଗପୁର ଜିଲାପାଳ କମଳ ଲୋଚନ ମିଶ୍ରଙ୍କୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସ୍‌ଡମା) କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ୨୦୧୨ ଆଇଏଏସ୍‌ ଅଫିସର ତଥା ଯାଜପୁର ଜିଲାପାଳ ନିଖିଳ ପଓ୍ବନ କଲ୍ୟାଣଙ୍କୁ ସଏଲ୍‌ କଞ୍ଜରଭେଶନ ଓ ଓ୍ବାଟର୍‌ଶେଡ୍‌ ଡେଭଲପ୍‌ମେଣ୍ଟ ନିର୍ଦ୍ଦେଶକ, କଟକ ମହାନଗର ନିଗମ କମିଶନର ବିଜୟ କୁମାର ଦାଶଙ୍କୁ ଗଜପତି ଜିଲାପାଳ, ଗଜପତି ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ରାପଡ଼ା ଜିଲାପାଳ ଏବଂ ନୟାଗଡ଼ ଜିଲାପାଳ ସ୍ବାଧାଦେବ ସିଂଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

ସେହିପରି ୨୦୧୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପାରୁଲ ପଟଓ୍ବାରୀଙ୍କୁ ରାୟଗଡ଼ା ଜିଲାପାଳ ଭାବେ ବଦଳି କରାଯାଇଥିବାବେଳେ ଢେଙ୍କାନାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କୁ କନ୍ଧମାଳ, ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବନ୍ଦାରଙ୍କୁ ସମ୍ବଲପୁର ଜିଲାପାଳ, ମୟୂରଭଞ୍ଜ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ କଟକ ଜିଲାପାଳ, ନୂଆପଡ଼ା ଜିଲାପାଳ ହେମକାନ୍ତ ସଏଙ୍କୁ ମୟୂରଭଞ୍ଜ ଜିଲାପାଳ, କଳାହାଣ୍ଡି ଜିଲାପାଳ ପି. ଅନଭେଶା ରେଡ୍ଡିଙ୍କୁ ଯାଜପୁର ଜିଲାପାଳ, କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ମାଲକାନଗିରି ଜିଲାପାଳ, ଦେବଗଡ଼ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଢେଙ୍କାନାଳ ଜିଲାପାଳ, ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ଶୁଭଙ୍କର ମହାପାତ୍ରଙ୍କୁ ନବରଙ୍ଗପୁର ଜିଲାପାଳ, କେନ୍ଦ୍ରାପଡ଼ା ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ବାଲେଶ୍ୱର ଜିଲାପାଳ, ବୌଦ୍ଧ ଜିଲାପାଳ ଜେ. ସୋନାଲଙ୍କୁ ଜଗତ୍‌ସିଂହପୁର ଜିଲାପାଳ, ମାଲକାନଗିରି ଜିଲାପାଳ ପାଓ୍ବାର ସଚିନ ପ୍ରକାଶଙ୍କୁ କଳାହାଣ୍ଡି ଜିଲାପାଳ ଏବଂ ସମ୍ବଲପୁର ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରଓ୍ବାଲଙ୍କୁ ନୟାଗଡ଼ ଜିଲାପାଳ ଭାବେ ବଦଳି କରାଯାଇଛି।

ସେହିପରି ରାୟଗଡ଼ା ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ସୁନ୍ଦରଗଡ଼ ଜିଲାପାଳ ଭାବେ ବଦଳି କରାଯାଇଥିବାବେଳେ ଓଡ଼ିଶା ଖଣି ନିଗମ ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର କବୀନ୍ଦ୍ର କୁମାର ସାହୁଙ୍କୁ ଦେବଗଡ଼ ଜିଲାପାଳ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ମଧୁସୂଦନ ଦାଶଙ୍କୁ ନୂଆପଡ଼ା ଜିଲାପାଳ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ ସୁବ୍ରତ କୁମାର ପଣ୍ଡାଙ୍କୁ ବୌଦ୍ଧ ଜିଲାପାଳ ଭାବେ ବଦଳି କରାଯାଇଛି।

Share