ନ୍ୟୁଜିଲାଣ୍ଡ ନିକଟ ଟୋଙ୍ଗା ସମୁଦ୍ରରେ ଆଗ୍ନେୟଗିରି ଉଦଗିରଣ, ଜାପାନ ପର୍ଯ୍ୟନ୍ତ ପହଞ୍ଚିଲା ସୁମାନୀ, ଅଷ୍ଟ୍ରେଲିଆରେ ଆଲର୍ଟ

ଟୋଙ୍ଗା,୧୬ ।୧: ନ୍ୟୁଜିଲାଣ୍ଡ ନିକଟ ଟୋଙ୍ଗା ସମୁଦ୍ରରେ ଆଗ୍ନେୟଗିରି ଉଦ୍‌ଗିରଣ ହେବା ପରେ ସମୁଦ୍ରରେ ବଡ ବଡ ଲହଡି ମାଡି ଆସିଥିଲା । ଫଳରେ ସମୁଦ୍ର କୂଳରେ ଥିବା ଲୋକେ ଜୀବନ ବଞ୍ଚାଇବାକୁ ଉଚ୍ଚ ସ୍ଥାନକୁ ଚାଲିଯାଇଥିଲେ । ତେବେ ଏହାକୁ ନେଇ ସୁନାମୀ ଆଲର୍ଟ ଜାରି କରିଥିବା ଆମେରିକାର ହୱାଇ ସ୍ଥିତ ସୁନାମୀ କେନ୍ଦ୍ର ପରେ ଏହାକୁ ଫେରାଇ ନେଇଥିଲା । ଏହାକୁ ନେଇ ଅଷ୍ଟ୍ରେଲିୟାରେ କିନ୍ତୁ ସୁନାମୀ ଆଲର୍ଟ ଜାରି କରାଯାଇଛି । ଏହି ଆଗ୍ନେୟଗିରି ଉଦ୍‌ଗିରଣ ପରେ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କାରଣ ଏହି ଛୋଟ ଦ୍ୱୀପ ସହ ସଂଚାର ଓ ଯୋଗାଯୋଗ ସୁବିଧା ଏତେ ଭଲ ନୁହେଁ । ତେବେ ଉପଗ୍ରହରୁ ମିଳିଥିବା ଚିତ୍ରରୁ ଦେଖାଯାଉଛି ସମୁଦ୍ର ମଧ୍ୟରେ ଛତୁ ଆକାରର ପାଉଁଶ, ବାଷ୍ପ ଓ ଗ୍ୟାସର ବେଲୁନ ଭଳି ଆକାର ଉପରକୁ ଉଠୁଛି । ଏହାକୁ ନେଇ ସମ୍ପୂର୍ଣ୍ଣ ଟୋଙ୍ଗାରେ ସୁନାମି ଆଲର୍ଟ ଜାରି କରାଯାଇଛି । ଏହାସହ ୮୦ ସେଣ୍ଟିମିଟର ଉଚ୍ଚତାର ଜୁଆର ଆସିପାରେ ବୋଲି ଅନୁମାନ କରାଯାଇଛି । ଏହାକୁ ନେଇ ଜାପାନରେ ବି ଆଲର୍ଟ ଜାରି କରାଯାଇଛି । ଟୋଙ୍ଗାର ଆଗ୍ନେୟଗିରି ଉଦ୍‌ଗିରଣର ପ୍ରଭାବ ଜାପାନ ପର୍ଯ୍ୟନ୍ତ ପଡିଛି । ଏଠାରେ ସମୁଦ୍ର ଉପକୂଳରେ ଜଳସ୍ତର ସାମନ୍ୟ ବୃଦ୍ଧି ପାଇବା ଆଶଙ୍କା କରାଯାଇଛି । ହେଲେ ଏହାଦ୍ୱାରା କୌଣସି କ୍ଷତି ହେବନାହିଁ ବୋଲି କୁହାଯାଉଛି ।

Share