ଶ୍ରୀଲଙ୍କାରେ ସ୍ଥିତି ଅଣାୟତ୍ତ: ଏମ୍‌ପି ସମେତ ୫ ଜଣଙ୍କ ମୃତ୍ୟୁ

କଲମ୍ବୋ,୧୦।୫: ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେ ନିଜ ପଦରୁ ଇସ୍ତଫା ଦେବା ପରେ ତାଙ୍କ ସମର୍ଥକମାନେ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି। ରାଜପାକ୍‌ସେଙ୍କ ସମର୍ଥକ ଓ ସରକାରଙ୍କୁ ବିରୋଧ କରୁଥିବା ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷ ସ୍ଥିତିକୁ ଅଣାୟତ୍ତ କରିଛି। ସେହିପରି ଏହି ସଂଘର୍ଷ ବେଳେ ଗୁଳିମାଡ ହୋଇଛି। ଏହି ସଂଘର୍ଷରେ ଶାସକ ଦଳର ଜଣେ ଏମ୍‌ପିଙ୍କ ସମତେ ୫ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି। ଏଥିସହ ଉଭୟ ପକ୍ଷର ଅନେକ ଲୋକ ଆହତ ହୋଇଛନ୍ତି। ସରକାରଙ୍କୁ ବିରୋଧ କରି ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେଙ୍କ ପୈତୃକ ଘରେ ନିଆଁ ଲଗାଇ ଦେଇଛନ୍ତି। ଏହା ବ୍ୟତୀତ ଶାସକ ଦଳର ବହୁ ଏମ୍‌ପିଙ୍କ ଘର ପୋଡି ପାଉଁଶ ହୋଇଯାଇଛି।
ସୂଚନାନୁସାରେ, ସୋମବାର ସାରେ କୁରୁନେଗାଲା ସହରରେ ଅବସ୍ଥିତ ମହିନ୍ଦା ରାଜପାକ୍‌ସେଙ୍କ ପୈତୃକ ଘରେ ନିଆଁ ଲଗାଇ ଦିଆଯାଇଥିଲା। ସେପଟେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ପୋଲିସ ସାରା ଦେଶରେ କର୍ଫ୍ୟୁ ଲାଗୁ କରିଛି କିନ୍ତୁ ହିଂସା ବନ୍ଦ ହେଉନି।

Share