Categories: ଜାତୀୟ

ଆତ୍ମସମର୍ପଣ କଲେ ପାର୍ଲାମେଣ୍ଟ ଉପଦ୍ରବର ମାଷ୍ଟରମାଇଣ୍ଡ୍‌

ନୂଆଦିଲ୍ଲୀ,୧୫।୧୨: ପାର୍ଲାମେଣ୍ଟ ଉପଦ୍ରବର ମାଷ୍ଟରମାଇଣ୍ଡ୍‌ ଲଲିତ ମୋହନ ଝା ଗୁରୁବାର ନୂଆଦିଲ୍ଲୀର କର୍ତ୍ତବ୍ୟପଥ ଥାନାରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ ଅଧିକାରୀମାନେ ପଚରାଉଚରା କରୁଛନ୍ତି। କୋଲକାତାରେ ଶିକ୍ଷକତା କରୁଥିବା ଲଲିତ ଘଟଣା ପରେ ରାଜସ୍ଥାନର ନଗୁଉରକୁ ବସ୍‌ରେ ଯାଇଥିଲେ। ସେଠାକାର ଏକ ହୋଟେଲରେ ଅବସ୍ଥାନ କରିଥିବା ଲଲିତଙ୍କ ସହ ତାଙ୍କର ଦୁଇଜଣ ବନ୍ଧୁଙ୍କୁ ଶେଷ ଥର ଦେଖାଯାଇଥିଲା। ପରେ ପୋଲିସ ତାଙ୍କୁ ଖୋଜୁଥିବା ଜାଣି ସେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଲଲିତ କହିଛନ୍ତି। ଦେଶର କ୍ରମବର୍ଦ୍ଧିଷ୍ଣୁ ବେରୋଜଗାରି, କୃଷକଙ୍କ ଦୁର୍ଦ୍ଦଶା ଓ ମଣିପୁର ହିଂସାକୁ ଲୋକଲୋଚନକୁ ଆଣିବା ପାଇଁ ସେମାନେ ବୁଧବାର ‘ସ୍ମୋକ୍‌ ପ୍ରୋଟେଷ୍ଟ’ ବା ଧୂଆଁ ବିକ୍ଷୋଭ କରିଥିଲେ ବୋଲି ତଦନ୍ତକାରୀମାନେ ଜାଣିବାକୁ ପାଇଛନ୍ତି। ଅନ୍ୟପକ୍ଷେ ଜଣେ ଟିଏମ୍‌ସି ନେତାଙ୍କ ସହ ଲଲିତଙ୍କ ସେଲ୍‌ଫିକୁ ନେଇ ବିରୋଧୀଙ୍କ ‘ଇଣ୍ଡିଆ ବ୍ଲକ୍‌କୁ’ ଭାଜପା ଟାର୍ଗେଟ କରିଛି।
ପାର୍ଲାମେଣ୍ଟ ଶୀତ ଅଧିବେଶନର ଅଷ୍ଟମ ଦିନ ବୁଧବାର ଲୋକ ସଭାରେ ଶୂନ୍ୟକାଳ ଚାଲିଥିବାବେଳେ ଡି. ମନୋରଞ୍ଜନ ଓ ସାଗର ଶର୍ମା ନାମକ ଦୁଇଜଣ ବିକ୍ଷୋଭକାରୀ ଦର୍ଶକ ଗ୍ୟାଲେରିରୁ ହଠାତ୍‌ ଚାମ୍ବରକୁ ଡେଇଁଥିଲେ। ଜଣେ ଏମ୍‌ପିମାନଙ୍କ ଟେବୁଲ ଉପରେ ଧାଇଁବାରେ ଲାଗିଥିବାବେଳେ ଆଉ ଜଣେ ତଳେ ଦୌଡ଼ୁଥିଲେ। ଉଭୟେ ନିଜ ଜୋତାରେ ଲୁଚାଇ ନେଇଥିବା କ୍ୟାନ୍‌ରୁ ଗୃହରେ ହଳଦିଆ ରଙ୍ଗର ଧୂଆଁ ଛାଡ଼ିଥିଲେ। ଏମ୍‌ପିମାନେ ଦୁହିଁଙ୍କୁ କାବୁ କରିବା ପରେ ସୁରକ୍ଷା କର୍ମୀଙ୍କ ଜିମା ଦେଇଥିଲେ। ଏହି ୨ ଜଣଙ୍କ ସମେତ ୫ ଅଭିଯୁକ୍ତଙ୍କ ଗିରଫଦାରି ପରେ ସେମାନଙ୍କୁ ୭ ଦିନିଆ ପୋଲିସ ହାଜତକୁ ପଠାଯାଇଛି। ସେମାନଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ ମାମଲା ରୁଜୁ ହୋଇଛି। ୨୦୦୧ ଡିସେମ୍ବର ୧୩ରେ ସଂସଦ ଭବନ ଉପରେ ହୋଇଥିବା ଆକ୍ରମଣକୁ ବୁଧବାର ଠିକ୍‌ ୨୨ ବର୍ଷ ପୂରିଥିବାବେଳେ ଏହି ଉପଦ୍ରବ ସଂସଦୀୟ ସୁରକ୍ଷା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। କାରଣ କର୍ନାଟକର ମହୀଶୂରରୁ ଲୋକ ସଭାରେ ପ୍ରତିନିଧିତ୍ୱ କରୁଥିବା ଭାଜପା ସଦସ୍ୟ ପ୍ରତାପ ସିମ୍‌ହାଙ୍କ ଭିଜିଟର୍ସ ପାସ୍‌ରେ ଅଭିଯୁକ୍ତ ଦ୍ୱୟ ପାର୍ଲାମେଣ୍ଟରେ ଅନୁପ୍ରବେଶ କରି ଏପରି କାଣ୍ଡ ଭିଆଇବାରେ ସକ୍ଷମ ହୋଇଥିଲେ। କର୍ତ୍ତବ୍ୟରେ ଅବହେଳା ପାଇଁ ୮ ସୁରକ୍ଷା କର୍ମୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ରାମପାଳ, ଅରବିନ୍ଦ, ବୀର ଦାସ, ଗଶେଶ, ଅନିଲ, ପ୍ରଦୀପ, ଭିମିଟ୍ଟ ଓ ନରେନ୍ଦ୍ର।

Share