Categories: ଖେଳ

ମୁମ୍ବାଇ ବିପକ୍ଷ ମ୍ୟାଚ୍‌ ସ୍ବତନ୍ତ୍ର: ଲୋବେରା

ଭୁବନେଶ୍ୱର,୨୮ା୯(ସରୋଜ ଜେନା): ଗୁରୁବାର ଇଣ୍ଡିଆନ୍‌ ସୁପର ଲିଗ୍‌ରେ ମୁମ୍ବାଇ ସିଟି ଏଫ୍‌ସି ବିପକ୍ଷରେ ଏହାର ଦ୍ୱିତୀୟ ମ୍ୟାଚ୍‌ ଖେଳିବ ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ଏହି ମ୍ୟାଚକୁ ନେଇ ସେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟ କୋଚ୍‌ ସର୍ଗିଓ ଲୋବେରା। ପୂର୍ବରୁ ମୁମ୍ବାଇର ମୁଖ୍ୟ କୋଚ୍‌ ରହିଥିବା କାରଣରୁ ଏହି ମ୍ୟାଚ୍‌ ପାଇଁ ଉତ୍ସାହିତ ଥିବା ସେ କହିଛନ୍ତି ।

ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ବୁଧବାର ମ୍ୟାଚ୍‌ ପୂର୍ବବର୍ତ୍ତୀ ଖବରଦାତା ସମ୍ମିଳନୀରେ ଓଏଫ୍‌ସି ମୁଖ୍ୟ କୋଚ୍‌ ସର୍ଗିଓ ଲୋବେରା ଓ ଡିଫେଣ୍ଡର ମୋର୍ଟାଡା ଫଲ୍‌ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ମୁମ୍ବାଇ ଏଫ୍‌ସିର କୋଚ୍‌ ଡେସ୍‌ ବକିଙ୍ଗହାମ୍‌ ଓ ଅଧିନାୟକ ରାହୁଲ ଭେକେ ପ୍ରେସ୍‌ ମିଟ୍‌ରେ ରହିଥିଲେ। ମୁମ୍ବାଇ ଏକ ଶକ୍ତିଶାଳୀ ଦଳ। ପ୍ରଥମ ମ୍ୟାଚରେ ସେମାନେ ମଧ୍ୟ ବିଜୟୀ ହୋଇ ଆସିଛନ୍ତି। ଉନ୍ନତ ପ୍ରଦର୍ଶନ କରିବା ପାଇଁ ଏହା ଆମ ନିକଟରେ ଏକ ଭଲ ସୁଯୋଗ ବୋଲି କହିଥିଲେ ଲୋବେରୋ।

ପୂର୍ବରୁ ମୁମ୍ବାଇ ଦଳ ସହିତ କୋଚିଂ କରି ଥିବାରୁ ଏହି ମ୍ୟାଚ୍‌ ବ୍ୟକ୍ତିଗତ ଭାବରେ ମୋ ପାଇଁ ବେଶ୍‌ ସ୍ବତନ୍ତ୍ର। ମୋହନବାଗାନ ବିପକ୍ଷ ଏଏଫ୍‌ସି କପ୍‌ ପରାଜୟ ପରେ ଦଳ ଦୃଢ ଭାବରେ ପ୍ରତ୍ୟାବର୍ତ୍ତନ କରିଛି। ଚେନ୍ନାଇନ୍‌ ବିପକ୍ଷରେ ଆମେ ଚମତ୍କାର ପ୍ରଦର୍ଶନ କରି ବିଜୟୀ ହୋଇଥିବା ବେଳେ ମୁମ୍ବାଇ ବିପକ୍ଷରେ ସମାନ ପ୍ରଦର୍ଶନ ଦୋହରାଇବା ନେଇ ଗୁରୁତ୍ୱ ଦେଇଛନ୍ତି।

କଳିଙ୍ଗ ଷ୍ଟାଡିୟମ ଆମର ହୋମ୍‌ ଗ୍ରାଉଣ୍ଡ ରହିଥିବା ବେଳେ ଦଳ ମଧ୍ୟ ଜୋରଦାର ପ୍ରସ୍ତୁତି କରିଛି। ଗୁରୁବାର ମ୍ୟାଚରେ ମୁମ୍ବାଇକୁ କଡା ଟକ୍କର ଦେବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ମୋର୍ଟାଡା ଫଲ୍‌। ହୋମ୍‌ ଗ୍ରାଉଣ୍ଡରେ ଓଏଫ୍‌ସି ଏକ ଶକ୍ତିଶାଳୀ ଦଳ ବୋଲି କହିଛନ୍ତି ବକିଙ୍ଗହାମ। ଉଭୟ ଦଳର ଅନେକ ଖେଳାଳି ପରସ୍ପରକୁ ଜାଣିଛନ୍ତି ଓ ମାତ୍ରାଧିକ ଫୁଟବଲ ମଧ୍ୟ ଖେଳିଛନ୍ତି। ତେଣୁ ଗୁରୁବାର ଏକ ଚମତ୍କାର ମ୍ୟାଚ୍‌ ଦେଖିବାକୁ ମିଳିବ ବୋଲି କହିଛନ୍ତି ମୁମ୍ବାଇ ସିଟି ଏଫ୍‌ସି ମୁଖ୍ୟ କୋଚ୍‌।

Share