Categories: ଖେଳ

ବୃହତ ବିଜୟ ସହ ଦ୍ୱିତୀୟ ସ୍ଥାନରେ ପହଞ୍ଚିଲା ଲକ୍ଷ୍ନୌ

ମୋହାଲି,୨୮।୪: ମୋହାଲି ସ୍ଥିତ ବିନ୍ଦ୍ରା ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ୍‌ର ୩୮ତମ ହାଇ ସ୍କୋରିଂ ମ୍ୟାଚରେ କେ.ଏଲ୍‌. ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ୫୬ ରନ୍‌ରେ ବିଜୟ ହୋଇଛି। ଏହି ବୃହତ ବିଜୟ ସହ ଲକ୍ଷ୍ନୌ ୧୦ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶିଖର ଧାଓ୍ବନ୍‌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ଷ୍ଟୋଇନିସ, ମେୟର୍ସ, ପୁରାନ ଏବଂ ବାଡୋନିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୨୦ ଓଭରରେ ୫ ଉଇକେଟ ହରାଇ ୨୫୭ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିଲା। ହେଲେ ପଞ୍ଜାବ ୧୯.୫ ଓଭରରେ ସମସ୍ତ ଉଇକେଟ ହରାଇ ୨୦୧ ରନ୍‌ କରିବାରେ ସକ୍ଷମ ହୋଇଥିଲା।

୨୫୮ ରନ୍‌ର ଜବାବରେ ପଞ୍ଜାବ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ୩ ରନ୍‌ରେ ଅଧିନାୟକ ଶିଖର ଧାଓ୍ବନ ୧ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ହେଲେ ଅଥର୍ବ ତାଇଦେ ୩୬ ବଲ୍‌ରୁ ସର୍ବାଧିକ ୬୬ (୮ ଚୌକା, ୨ ଛକା) ରନ୍‌ କରିଥିଲେ। ସିକନ୍ଦର ରାଜା, ଲିଆମ ଲିଭିଂଷ୍ଟୋନ, ସାମ୍‌ କୁରାନ ଓ ଜିତେଶ ଶର୍ମା ଭଲ ଷ୍ଟାଟ ଦେଇଥିଲେ ମଧ୍ୟ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ରାଜା ୨୨ ବଲ୍‌ରୁ ୩୬ (୪ ଚୌକା, ୧ ଛକା), ଲିଭିଂଷ୍ଟୋନ ୧୪ ବଲ୍‌ରୁ ୨୩ (୨ ଚୌକା, ୧ ଛକା), କୁରାନ ୧୧ ବଲ୍‌ରୁ ୨୧ (୨ ଚୌକା, ୧ ଛକା) ଓ ଜିତେଶ ୧୦ ବଲ୍‌ରୁ ୨୪ (୩ ଛକା) ରନ୍‌ କରି ଆଉଟ ହୋଇଥିଲେ।

Share