ମାତୃତ୍ୱ ଗୃହକୁ ଜାଳିଦେଲେ ରୁଷିଆ ସୈନ୍ୟ: ଏହା ନରସଂହାର ନୁହେଁ କି, ପ୍ରଶ୍ନ କଲା ୟୁକ୍ରେନ

କ୍ୱିଭ,୨।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ସପ୍ତମ ଦିନରେ ବି ରୁଷିଆ ସେନା ଲଗାତର ଭାବେ ରାଜଧାନୀ କ୍ୱିଭରେ ବୋମାମାଡ଼ କରି କ୍ଷେପଣାସ୍ତ୍ର ନିକ୍ଷେପ କରୁଛନ୍ତି। ଇତିମଧ୍ୟରେ ୟୁକ୍ରେନର ଜ୍ୟୋଟମିରରେ ଥିବା ମାତୃତ୍ୱ ଗୃହକୁ ରୁଷିଆ ସେନା ଜାଳିଦେଇଥିବା ଜଣାପଡ଼ିଛି। ଏନେଇ ବୁଧବାର ୟୁକ୍ରେନର ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଏଥିସହ ଏହା ରୁଷିଆର ନରସଂହାର ନୁହେଁ କି ବୋଲି ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ କରି ପ୍ରଶ୍ନ କରାଯାଇଛି। ଅନ୍ୟପଟେ ଖାର୍କ୍ୱିଭ ସହରରେ ରୁଷିଆ ସୈନ୍ୟ ନିଜର ଆକ୍ରମଣ ଜାରି ରଖିଛି। ଲଗାତର ଭାବେ ସହରରେ ବୋମା ବିସ୍ଫୋରଣ ହେଉଥିବା ବେଳେ ଏୟାର ଷ୍ଟ୍ରାଇକ୍‌ରେ ୨୧ଜଣଙ୍କ ପ୍ରାଣହାନୀ ଘଟିଛି ଏବଂ ୧୧୨ଜଣ ଆହତ ହୋଇଛନ୍ତି। ଏନେଇ ୟୁକ୍ରେନ ଗଭର୍ନର ସୂଚନା ଦେଇଛନ୍ତି। ଏତଦ୍‌ ବ୍ୟତୀତ ଖାର୍କ୍ୱିଭ ସ୍ଥିତ ମିଲିଟାରୀ ଏକାଡେମୀ ଉପରେ ରକେଟ ମାଡ଼ ମଧ୍ୟ ହୋଇଛି। ଦୀର୍ଘ ୯ଘଣ୍ଟା ଧରି ସେଠାରେ ନିଆଁ ଲାଗିଥିବା ବେଳେ ଏହାକୁ ଆୟତ୍ତ କରାଯାଇପାରିନାହିଁ।

Share