ଆଜିର ବ୍ୟସ୍ତବହୁଳ ଜୀବନରେ ଶପିଂ ପାଇଁ ସମୟ ଅଭାବ। ଏଣୁ ଅଧିକାଂଶ ଲୋକ ଅନ୍ଲାଇନ୍ ଶପିଂ କରିବାକୁ ପସନ୍ଦ କରିଥାନ୍ତି। ଏସବୁ ମଧ୍ୟରେ ଯଦି ଅନ୍ଲାଇନ୍ରେ କିଣିଥିବା ଜିନିଷଠାରୁ କିଛି ଅଲଗା ବାହାରେ ତେବେ ନିରାଶ ହେବାକୁ ପଡ଼ିଥାଏ। ଏଭଳି କିଛି ଘଟିଛି ଉତ୍ତରପ୍ରଦେଶର ମଥୁରାରେ।
ମଥୁରା ସହରର ଶେରଗଡ଼ ଅଞ୍ଚଳର କିଛି ଲୋକ ସୁନାର ଇଟା ଅର୍ଡର କରିଥିଲେ। ହେଲେ ସେମାନେ ପ୍ୟାକେଟ୍ ଖୋଲିବା ବେଳେ ଚମକି ପଡ଼ିଥିଲେ। କାରଣଟି ହେଲା ସେଥିରେ ସୁନାର ଇଟା ନ ଥାଇ ପିତ୍ତଳର ଇଟା ରହିଥିଲା। ଏହା ଜଣାପଡ଼ିବା ପରେ ଶେରଗଡ଼ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କୁ ପଚରାଉଚରା କରାଯାଇଥିଲା। ତେବେ ସେମାନେ ଓଏଲ୍ଏକ୍ସରେ ନକଲି ସୁନା ଇଟା ବିକୁଥିବା ସ୍ବିକାର କରିଛନ୍ତି। ପୋଲିସ ଅଭିଯୁକ୍ତଙ୍କଠାରୁ ଆଠ ଲକ୍ଷ ଟଙ୍କା, ତିନୋଟି ଆଧାର କାର୍ଡ, ଗୋଟିଏ ନକଲି ସୁନା ଇଟା, ନଅଟି ସିମ୍ କାର୍ଡ ଏବଂ ଅନ୍ୟ ସାମଗ୍ରୀ ଜବତ କରିଛି।
ଅଭିଯୁକ୍ତମାନେ ଦୀର୍ଘଦିନ ଧରି ଓଏଲ୍ଏକ୍ସରେ ପିତ୍ତଳକୁ ଅସଲି ସୁନା କହି ବିକି ଆସୁଥିଲେ। ପୋଲିସ ଦୀର୍ଘଦିନ ଧରି ସେମାନଙ୍କ ଉପରେ ନଜର ରଖିଥିଲା। ଶେଷରେ ସେମାନେ ଗିରଫ ହୋଇଛନ୍ତି। ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।