Categories: ଜାତୀୟ

ରାଣା ଦମ୍ପତିଙ୍କ ଜାମିନ ଆବେଦନ ଶୁଣାଣି ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ ଘୁଞ୍ଚିଲା

ମୁମ୍ବାଇ,୨୯।୪:ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟକ୍ତିଗତ ବାସଭବନ ‘ମାତୋଶ୍ରୀ’ ବାହାରେ ହନୁମାନ ଚାଳିଶା ପାଠ ଅଭିଯୋଗରେ ଗିରଫ ହୋଇଥିବା ଅମରାବତୀ ଏମ୍‌ପି ନବନୀତ ରାଣା ଏବଂ ତାଙ୍କ ସ୍ବାମୀ ରବି ରାଣାଙ୍କ ଜାମିନ ଆବେଦନର ଶୁଣାଣି ଶୁକ୍ରବାର ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ମୁମ୍ବାଇର ସେସନ୍ସ କୋର୍ଟ ତାଙ୍କ ଆବେଦନ ଶୁଣାଣି କରିବେ।
ସେସନ୍ସ କୋର୍ଟ ଏପ୍ରିଲ ୩୦ରେ ଦିନ ୨.୪୫ରେ ରାଣା ଦମ୍ପତିଙ୍କ ଜାମିନ ଆବେଦନ ଶୁଣାଣି କରିବେ। ସରକାରୀ ଓକିଲ ପ୍ରଦୀପ ଘରାତ କହିଛନ୍ତି, ମୁମ୍ବାଇ ପୋଲିସ ଏହାର ଉତ୍ତର କୋର୍ଟରେ ଦାଖଲ କରିଛି। ଏଥିରେ ନବନୀତ ରାଣା ଏବଂ ବିଧାୟକ ରବି ରାଣାଙ୍କୁ ଜାମିନ ପ୍ରଦାନ ନ କରିବାକୁ ଅନୁରୋଧ କରାଯାଇଥିଲା।
ସୂଚନାଯୋଗ୍ୟ, ଏପ୍ରିଲ ୨୩ରେ ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବ୍ୟକ୍ତିଗତ ବାସଭବନ ‘ମାତୋଶ୍ରୀ’ ବାହାରେ ରାଣା ଦମ୍ପତି ହନୁମାନ ଚାଳିଶା ପାଠ କରିବାକୁ ଘୋଷଣା କରିଥିଲେ। ଏହା ପରେ ଶିବସେନା ସମର୍ଥକ ଏବଂ ରାଣା ଦମ୍ପତି ସମର୍ଥକଙ୍କ ମଧ୍ୟରେ ଝଗଡା ଲାଗିଥିଲା। ଶାନ୍ତି ଭଙ୍ଗ କରିବା, ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବିସ୍ତାର କରିବା ଏବଂ ଦେଶଦ୍ରୋହ ଅଭିଯୋଗରେ ରାଣା ଦମ୍ପତିଙ୍କୁ ଗିରଫ କରାଯାଇଥିଲା। ଏବେ ଉଭୟ ମୁମ୍ବାଇ ଜେଲରେ ଅଛନ୍ତି।

Share