ଦଶମ, +୨ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ-୧୯ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ। ଏହାସହ ନବମ ଏବଂ ଏକାଦଶ ଶ୍ରେଣୀର ପିଲାମାନେ ସିଧାସଳଖ ଦଶମ ଏବଂ ଦ୍ୱାଦଶ ଶ୍ରେୀକୁ ଉନ୍ନୀତ ହେବେ। ଏହି ଦୁଇଟି ଶ୍ରେଣୀର ପିଲାଙ୍କୁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଆସନ୍ତା ୧୯ରୁ ନବମ ଏବଂ ଦ୍ୱାଦଶ ଶ୍ରେଣୀର ସମସ୍ତ କ୍ଲାସ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସହ ଅନୁବନ୍ଧିତ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ସ୍କୁଲ କ୍ଲାସ ବନ୍ଦ ରହିବ। ରାଜ୍ୟର ସମସ୍ତ ଇଂରାଜୀ ମାଧ୍ୟମ ସ୍କୁଲ ଓ ହଷ୍ଟେଲ ମଧ୍ୟ ୧୯ରୁ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ମେ ୧୮ରୁ ଆରମ୍ଭ ହେବାକୁ ଥିବା ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ସେହିପରି ଜୁନ ୨୦୨୧ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା କରାଯିବା ସଂପର୍କରେ ସମୀକ୍ଷା କରିବେ ଏବଂ ଛାତ୍ରୀଛାତ୍ରମାନଙ୍କୁ ଉପଯୁକ୍ତ ସମୟ ଦିଆଯାଇ ପରୀକ୍ଷା କରାଯିବା ପାଇଁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

Share