ଘୁଞ୍ଚିବନି ମାଟ୍ରିକ୍‌, ଯୁକ୍ତ ୨ ପରୀକ୍ଷା: କରାଯିବ ଅଧିକ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର, ୯।୪(ବ୍ୟୁରୋ): ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ତାରିଖ ଘୁଞ୍ଚିବ ନାହିଁ। ଏ ନେଇ ଶୁକ୍ରବାର ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି।

ମନ୍ତ୍ରୀ ଦାଶ କହିଛନ୍ତି, ପୂର୍ବରୁ ମାଟ୍ରିକ ଓ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରୀଛତ୍ରଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ ପରୀକ୍ଷା କରାଯିବ। ଏହି ଦୁଇ ଶ୍ରେଣୀର ପରୀକ୍ଷା ହେବା ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ। ପରୀକ୍ଷା ପାଇଁ ଅଧିକ କେନ୍ଦ୍ର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି, ନବମ ଶ୍ରେଣୀ ପରୀକ୍ଷା ହେବ କି ନାହିଁ କିଛି ସ୍ଥିର ହୋଇନି। ଯେହେତୁ ନବମ କ୍ଲାସ ବନ୍ଦ ରହିଛି, ପରୀକ୍ଷା କଥା ସ୍ଥିର ହୋଇନି।

ପ୍ରକାଶ ଯେ, କରୋନା ମହାମାରୀ ସଂକ୍ରମଣ ପୁଣିଥରେ ବ୍ୟାପୁଥିବାରୁ ରାଜ୍ୟର ସମସ୍ତ ସ୍କୁଲରେ ଗୁରୁବାର ଠାରୁ ନବମ ଓ ଏକାଦଶ ଶ୍ରେଣୀର ପାଠପଢ଼ା ବନ୍ଦ ରହିଛି। ଏହି ନିର୍ଦ୍ଦେଶନାମା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ଦୁଇ ଶ୍ରେଣୀର ପିଲାମାନେ ଯଦି ହଷ୍ଟେଲ କିମ୍ବା ଆବାସିକ ସ୍କୁଲରେ ରହୁଥିବେ ତାହେଲେ ସେମାନେ ତୁରନ୍ତ ଘରକୁ ଫେରିଯିବାକୁ ଏପ୍ରିଲ ୭ ତାରିଖରେ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଥିଲା। ତେବେ ସ୍କୁଲ କର୍ତ୍ତୃପକ୍ଷ ଚାହିଁଲେ ଅନ୍‌ଲାଇନ କ୍ଲାସ କରିପାରିବେ। ଅନ୍ୟପକ୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ପୂର୍ବଭଳି ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଇଥିଲା।

Share