ଆଜିଠୁ ମାଟ୍ରିକ ସାର୍ଟିଫିକେଟ୍‌ ତ୍ରୁଟି ସଂଶୋଧନ

କଟକ,୫।୭(ସୁପ୍ରିୟା ପ୍ରିୟଦର୍ଶିନୀ): ଚଳିତବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ସାର୍ଟିଫିକେଟରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି। ଏଥିପାଇଁ ବୁଧବାରଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବୋର୍ଡ ପକ୍ଷରୁ ତ୍ରୁଟି ସଂଶୋଧନ କରାଯିବ। ସ୍କୁଲ କର୍ତ୍ତୃପକ୍ଷ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ଆବଶ୍ୟକ କାଗଜପତ୍ର ଏବଂ ଏ ବାବଦରେ ଫି’ ଦାଖଲ କରି ସଂଶୋଧିତ ପ୍ରମାଣପତ୍ର ପାଇପାରିବେ। ଅଫ୍‌ଲାଇନ୍‌ ମାଧ୍ୟମରେ ଏହି ପ୍ରକ୍ରିୟା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ସମସ୍ତ ଜିଲାରେ ବୋର୍ଡ ପକ୍ଷରୁ ଗୋଟିଏ ଲେଖାଏଁ ସେଣ୍ଟର କରାଯାଇଥିଲା। ଜୁନ୍‌ ୨୪ ଏବଂ ୨୫ ତାରିଖ ଦୁଇଦିନ ମଧ୍ୟରେ ସ୍କୁଲର ପ୍ରଧାନ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କର ସାର୍ଟିଫିକେଟ୍‌ ନେଇଥିଲେ। ବିଭିନ୍ନ ଜିଲାର ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଏହି କାର୍ଯ୍ୟର ତଦାରଖ କରିଥିଲେ। ସ୍କୁଲଗୁଡିକରେ ଛାତ୍ରୀଛାତ୍ରଙ୍କୁ ପ୍ରଧାନ ଶିକ୍ଷକ ଏହି ସାର୍ଟିଫିକେଟ ପ୍ରଦାନ କରିବା ସମୟରେ ଅଧିକାଂଶ ତ୍ରୁଟି ଥିବା ଦେଖିବାକୁ ମିଳିଥିଲା।