ମାଟ୍ରିକ ପରୀକ୍ଷା: କପି ରୋକିବାକୁ ତ୍ରିସ୍ତରୀୟ ବ୍ୟବସ୍ଥା

କୋରାପୁଟ,୯।୩(ସ୍ବ.ପ୍ର.): ଶୁକ୍ରବାର ମାଟ୍ରିକ ପରୀକ୍ଷା। ଏନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଥିବା ଗୁରବାର ଜିଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ ସୂଚନା ଦେଇଛନ୍ତି।

କୋରାପୁଟ ଜିଲାରେ ମାଟ୍ରିକ ପରୀକ୍ଷା ପାଇଁ ୮୦ଟି ପରୀକ୍ଷାକେନ୍ଦ୍ର କରାଯାଇଥିବା ବେଳେ ଏଥିରେ ପ୍ରାୟ ୧୭ହଜାର ୨୦୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜଣାପଡିଛି। ପରୀକ୍ଷା ନେଇ ମଙ୍ଗଳବାର ବୋର୍ଡରୁ ପ୍ରଶ୍ନପତ୍ର ଆସି କୋରାପୁଟରେ ପହଞ୍ଚିଛି। ପ୍ରଶ୍ନପତ୍ରକୁ ସୁରକ୍ଷାରେ ରଖିବା ପାଇଁ ୧୦ଟି ସ୍ଥାନକୁ ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ୫ଟି ସ୍କୁଲରେ ଓ ୫ଟି ପୋଲିସ ଥାନାରେ ପ୍ରଶ୍ନପତ୍ର ରଖାଯାଇଛି ବୋଲି ଜିଲା ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି।

ଏହି ପ୍ରଶ୍ନପତ୍ରଗୁଡିକୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପଠାଇବା ପାଇଁ ୨୦ଟି ଟିମ୍‌ ଗଠନ କରାଯାଇଛି। ଏପରିକି ପରୀକ୍ଷାକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା ଏବଂ କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି। ବୋର୍ଡ, ଜିଲା ପ୍ରଶାସନ ଓ ଜିଲା ଶିକ୍ଷା ବିଭାଗ ପକ୍ଷରୁ ସ୍କ୍ବାର୍ଡ କରାଯାଇଛି। ଜିଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ ବୋଲି ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ପରୀକ୍ଷା ସୁପରିଚାଳନା ନିମନ୍ତେ ରହିଥିବା ଗାଇଡ୍‌ଲାଇନ ତଥା ନିର୍ଦ୍ଦେଶନାମାକୁ ପାଳନ କରିବାକୁ କେନ୍ଦ୍ର ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ସମସ୍ତ କେନ୍ଦ୍ର ଅଧୀକ୍ଷକମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ କରାଯାଇ ନିଦ୍ଦେଶନାମା ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବା ଜିଲା ଶିକ୍ଷା ଅଧିକାରୀ ନାହାକ ସୂଚନା ଦେଇଛନ୍ତି।

Share