ମାଟ୍ରିକ୍‌ ପରୀକ୍ଷା ଆରମ୍ଭ: ପ୍ରଥମଥର ପାଇଁ ଏଆଇର ହେବ ଉପଯୋଗ

ଭୁବନେଶ୍ୱର,୨୦।୨: ଚଳିତବର୍ଷର ମାଟ୍ରିକ୍‌, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ରହିଛି। ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ପ୍ରବେଶ ଉପରେ ରୋକ ଲଗାଯାଇଥିବାବେଳେ ପରିଚାଳନା ବ୍ୟବସ୍ଥାକୁ ପୂର୍ବାପେକ୍ଷା ଅଧିକ କଡ଼ାକଡ଼ି କରାଯାଇଛି। ସକାଳ ୭ଟା ୩୦ ମିନିଟ୍‌ରେ ପରୀକ୍ଷା କେନ୍ଦ୍ରର ଫାଟକ ଖୋଲାଯାଇ ପରୀକ୍ଷାର୍ଥୀମାନଙ୍କୁ ଯାଞ୍ଚ ପରେ ଭିତରକୁ ପ୍ରବେଶ ଅନୁମତି ଦିଆଯାଇଥିଲା। ୮ଟା ୩୦ ମିନିଟ୍‌ରେ ପରୀକ୍ଷାର୍ଥୀମାନଙ୍କୁ ଓଏମ୍‌ଆର ସିଟ୍‌ ପ୍ରଦାନ କରାଯାଇଛି। ୯ଟାରେ ପରୀକ୍ଷା ଆରମ୍ଭ ହୋଇଛି। ଚଳିତବର୍ଷ ମଧ୍ୟ ପରୀକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ଶିକ୍ଷୟିତ୍ରୀ, ଶିକ୍ଷକମାନେ ମୋବାଇଲ ସାଙ୍ଗରେ ନେଇ ପରୀକ୍ଷା ହଲକୁ ଯାଇପାରିବେ ନାହିଁ।
ଏଥର ୫ ଲକ୍ଷ ୫୧ ହଜାର ୬୧୧ ଜଣ ମାଟ୍ରିକ୍‌, ୭୮୩୧ ଜଣ ମୁକ୍ତ ବିଦ୍ୟାଳୟ ଓ ୩୦୩୭ ଜଣ ମଧ୍ୟମା ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ରାଜ୍ୟର ମୋଟ୍‌ ୩୦୪୭ ପରୀକ୍ଷା କେନ୍ଦ୍ର ଓ ପ୍ରଶ୍ନପତ୍ର ଗଚ୍ଛିତ ପାଇଁ ୩୧୩ ନୋଡାଲ କେନ୍ଦ୍ର କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳର ୨୨ଟି ଥାନାରେ ନୋଡାଲ କେନ୍ଦ୍ର କରାଯାଇଛି। ନୋଡାଲ କେନ୍ଦ୍ରଗୁଡ଼ିକୁ ୨୪ ଘଣ୍ଟିଆ ସୁରକ୍ଷାବଳୟ ସମେତ ସିସିଟିଭି ନଜରରେ ରଖାଯାଇଛି। ପ୍ରଥମଥର ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସର୍ଭିଲାନ୍ସର ଉପଯୋଗ କରି ସିଧାସଳଖ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ମୁଖ୍ୟାଳୟରୁ କେତେକ କେନ୍ଦ୍ରରେ ପରୀକ୍ଷା ପରିଚାଳନାକୁ ନିୟନ୍ତ୍ରଣ କରାଯାଉଛି। ଅସାଧୁ ଉପାୟ ଅବଲମ୍ବନକୁ ରୋକିବା ପାଇଁ ଚତୁଃସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା ଲାଗୁ କରାଯାଇଛି। ବୋର୍ଡ ପକ୍ଷରୁ ୪୧ ସ୍କ୍ବାଡ୍‌, ଜିଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ୭୨ଟି ସ୍କ୍ବାଡ୍‌ କରାଯାଇଛି। ଏହାବାଦ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ନୋଡାଲ ଅଧିକାରୀମାନେ ମଧ୍ୟ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପରିଚାଳନା ବ୍ୟବସ୍ଥା ତଦାରଖ କରିବେ। ରାଜ୍ୟର ୫୬ କେନ୍ଦ୍ରରେ ଆସନ୍ତା ମାର୍ଚ୍ଚ ୧୪ରୁ ଖାତା ଆରମ୍ଭ ହେବ। ୧୫ ଦିନ ମଧ୍ୟରେ ଖାତା ଦେଖା ସରିବ ବୋଲି ବୋର୍ଡ ଉପସଭାପତି ନୀହାର ରଞ୍ଜନ ମହାନ୍ତି କହିଛନ୍ତି।

Share