କେନ୍ଦୁଝର,୧୩।୩(ସ୍ବ.ପ୍ର): ମାଟ୍ରିକ ପରୀକ୍ଷା ଦେବା ପାଇଁ ଆସିଥିବା ପରୀକ୍ଷାର୍ଥୀଙ୍କୁ ମହୁମାଛି ଆକ୍ରମଣ କରିଛି। କେନ୍ଦୁଝର ଜିଲା ହରିଚନ୍ଦନପୁର ବାଳିକା ହାଇସ୍କୁଲ କେନ୍ଦ୍ରକୁ ମାଟ୍ରିକ ପରୀକ୍ଷା ଦେବା ପାଇଁ କେନ୍ଦ୍ରକୁ ଆସୁଥିବା ବେଳେ ମହୁମାଛି ଆକ୍ରମଣ କରିଥିଲା। ଏଥିରେ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କୁ ଆହତ ହୋଇଥିବା ଜଣାପଡ଼ିଛି। ସକାଳ ପ୍ରାୟ ୭ରେ ଏହି ଘଟଣା ଘଟିଥିବା କୁହାଯାଉଛି। ଏଥିରେ ୫୦ରୁ ଅଧିକ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ମହୁମାଛି ଗୋଡ଼ାଇ ଗୋଡ଼ାଇ କାମୁଡ଼ିବାରୁ ଛାତ୍ରୀଛାତ୍ର ଜୀବନ ବିକଳରେ ଧାଇଁଥିଲେ।
ସୂଚନାଯୋଗ୍ୟ, ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରମାନେ ଇଂରାଜୀ ପରୀକ୍ଷା ଦେଇଛନ୍ତି। ମହୁମାଛି ଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟାକରି ଜଣେ ଶିକ୍ଷକ ପଡ଼ି ଖଣ୍ଡିଆଖାବରା ହୋଇଛନ୍ତି। ତେବେ ସମସ୍ତ ପିଲା ପରୀକ୍ଷାରେ ବସିଛନ୍ତି। ଏ ନେଇ ରିପୋର୍ଟ ଦେବାକୁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି।