ଆଜିଠୁ ମାଟ୍ରିକ୍‌ ପରୀକ୍ଷା: ସହଯୋଗ କରିବେ ଶିକ୍ଷକ

ଭୁବନେଶ୍ୱର,୨୦ା୨ (ଅସମାପିକା ସାହୁ):ଚଳିତବର୍ଷର ମାଟ୍ରିକ୍‌, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେଉଛି।ପରୀକ୍ଷାରେ ମାଧ୍ୟମିକ ଶିକ୍ଷକମାନେ ସହଯୋଗ କରିବେ। ଦୀର୍ଘଦିନର ଆନ୍ଦୋଳନକୁ ସ୍ଥଗିତ ରଖି ପରୀକ୍ଷା ପରିଚାଳନାରେ ସହଯୋଗ କରିବା ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସୋମବାର ସରକାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେଇଛି। ଏ ନେଇ ସଂଘ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ କହିଛନ୍ତି, ବିଭାଗ ପକ୍ଷରୁ ଆମକୁ ଆଲୋଚନା ପାଇଁ ଡକାଯାଇଥିଲା। ଖୁବ୍‌ଶୀଘ୍ର ଦାବି ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଫେବୃଆରୀ ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇଯିବ ବୋଲି ଆଶା କରୁଛୁ। ତେଣୁ ଆମେ ରାଜ୍ୟସ୍ତରୀୟ ଆନ୍ଦୋଳନକୁ ସ୍ଥଗିତ ରଖୁଛୁ। ପରୀକ୍ଷାରେ ସମ୍ପୂର୍ଣ୍ଣ ସହଯୋଗ କରିବୁ। କିନ୍ତୁ ବିଜ୍ଞପ୍ତି ପ୍ରକାଶ ପାଇବା ପର୍ଯ୍ୟନ୍ତ କେବଳ ପ୍ରତୀକାତ୍ମକ ଆନ୍ଦୋଳନ ଜାରି ରହିବ। ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଜିଲାଓ୍ବାରି ଧାରଣା ଚାଲିବ। ଯେଉଁ ଶିକ୍ଷକଙ୍କର ପରୀକ୍ଷା ଡ୍ୟୁଟି ଅଛି ସେମାନେ କାର୍ଯ୍ୟରେ ଯୋଗଦେବେ। ଯେଉଁମାନଙ୍କର ଡ୍ୟୁଟି ନାହିଁ, ସେମାନେ ଏହି ଧାରଣାରେ ବସିବେ ବୋଲି ଦାଶ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ମଙ୍ଗଳବାରରୁ ଆରମ୍ଭ ହେବ। ତେବେ ପରୀକ୍ଷା ପରିଚାଳନାକୁ ନେଇ ବହୁ ଆଶଙ୍କା ଦେଖାଦେଇଥିଲା। କାରଣ ବିଭିନ୍ନ ଦାବି ନେଇ ଗତ ୭ ତାରିଖରୁ ଭୁବନେଶ୍ୱର ଗାନ୍ଧୀମାର୍ଗରେ ଶିକ୍ଷକମାନେ ଧାରଣାରେ ବସିଥିଲେ। ଆଜି ପର୍ଯ୍ୟନ୍ତ ଅନୁଦାନ ପାଇ ନ ଥିବା ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଉଥିବା ଶିକ୍ଷକ ଓ କର୍ମଚାରୀଙ୍କୁ ଅବସରକାଳୀନ ସୁବିଧା ପ୍ରଦାନ, ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ ଆଦି ଦାବି ପୂରଣ ନେଇ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ କରୁ ନ ଥିବାରୁ ଶିକ୍ଷକମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ। ଏପରିକି ଦାବି ପୂରଣ ନ ହେଲେ ମାଟ୍ରିକ ପରୀକ୍ଷାରେ ଅସହଯୋଗ କରିବୁ ବୋଲି ଚେତାବନୀ ମଧ୍ୟ ଦେଇଥିଲେ। ତେବେ ଶୃଙ୍ଖଳିତ ତଥା ସ୍ବାଭାବିକ ପରୀକ୍ଷା ପରିଚାଳନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସୋମବାର ସଂଘ ସହିତ ଆଲୋଚନା କରିଥିଲେ। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ସଫଳ ହେବା ପରେ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିବା ସହିତ ପରୀକ୍ଷାରେ ସହଯୋଗ କରିବ ବୋଲି କହିଛି। ଛାତ୍ରୀଛାତ୍ର ଚାପମୁକ୍ତ ହୋଇ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତୁ ବୋଲି ଓଷ୍ଟା ପକ୍ଷରୁ ନିବେଦନ କରାଯାଇଛି।

Share