ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ଫର୍ମ ପୂରଣ ଆରମ୍ଭ

କଟକ ଅଫିସ,୬।୭: ଚଳିତବର୍ଷ ମାଟ୍ରିକ ଫଳ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରୀଛାତ୍ରମାନେ କରୋନା କଟକଣା ମଧ୍ୟରେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବେ। ଏଥିପାଇଁ ସୋମବାରଠାରୁ ଫର୍ମ ପୂରଣ ଆରମ୍ଭ ହୋଇଛି। ଛାତ୍ରୀଛାତ୍ରମାନେ ବୋର୍ଡ ୱେବ୍‌ସାଇଟ୍‌(www.bseodisha.ac.in)ରେ ଆସନ୍ତା ୧୪ ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ। ଏଥିପାଇଁ ସେମାନଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ। ଏହାପରେ ଆସନ୍ତା ୩୦ରେ ପରୀକ୍ଷା ଆରମ୍ଭ ହେବ। ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। କେବଳ ଗଣିତ ପରୀକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ ଅଧିକ ୧୫ ମିନିଟ୍‌ ସମୟ ଦିଆଯିବ। ଅଫ୍‌ଲାଇନ ପରୀକ୍ଷାର ମାର୍କ ଆଧାରେ ଯୁକ୍ତଦୁଇ ଆବେଦନ ଲାଗି ଛାତ୍ରୀଛାତ୍ରଙ୍କୁ କୌଣସି ସମସ୍ୟା ହେବନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସୂଚନା ମିଳିଛି।
ସୂଚନାଥାଉ କି, କରୋନା ମହାମାରୀ ଯୋଗୁ ଚଳିତବର୍ଷ ପ୍ରଥମଥର ପାଇଁ ବିନା ପରୀକ୍ଷାରେ ବୋର୍ଡ ପକ୍ଷରୁ ମାଟ୍ରିକ ଫଳ ପ୍ରକାଶ ପାଇଥିଲା। ହେଲେ ଏହାକୁ ନେଇ ଅଧିକାଂଶ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅନେକ ସ୍ଥାନରେ ଛାତ୍ରୀଛାତ୍ର ଓ ଅଭିଭାବକମାନେ ବିକ୍ଷୋଭ ସହ ରାସ୍ତାରୋକୋ କରିଥିଲେ। ପରବର୍ତ୍ତୀ ସମୟରେ ଅସନ୍ତୁଷ୍ଟ ଛାତ୍ରୀଛାତ୍ରଙ୍କ ପାଇଁ ଅଫ୍‌ଲାଇନ୍‌ ପରୀକ୍ଷା କରାଇବାକୁ ବୋର୍ଡ ନିଷ୍ପତ୍ତି ନେଇଥିଲା।

Share