୨୦ସୁଦ୍ଧା ମାଟ୍ରିକ ଅଫ୍‌ଲାଇନ ରେଜଲ୍ଟ

ଭୁବନେଶ୍ୱର, ୮।୮(ବ୍ୟୁରୋ): ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ଖାତାଦେଖା ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ। ୨୦ ସୁଦ୍ଧା ଫଳ ପ୍ରକାଶ ପାଇବ। ଏଥିପାଇଁ ବୋର୍ଡ ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଖୁବ୍‌ଶୀଘ୍ର ପରୀକ୍ଷାଫଳ ବାହାରିବା ତାରିଖ ଘୋଷଣା କରାଯିବ। ଏନେଇ ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମନ୍ତ୍ରୀ ସୂଚନା ଦେଇଛନ୍ତି। ଅପରପକ୍ଷେ ଯୁକ୍ତ୨ ନାମଲେଖା ପାଇଁ ଆସନ୍ତା ୧୬ ତାରିଖ ଭିତରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଗତବର୍ଷ ଅଗଷ୍ଟ ୨୧ରୁ ଯୁକ୍ତ୨ ପାଇଁ ଆବେଦନ ଆରମ୍ଭ ହୋଇଥିଲା। ଚଳିତବର୍ଷ ଏହାର ସପ୍ତାହକ ପୂର୍ବରୁ ଆରମ୍ଭ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି। ଏକ ମାସ ମଧ୍ୟରେ ଛାତ୍ରୀଛାତ୍ରଙ୍କୁ ଆବେଦନ ପାଇଁ ସମୟ ଦିଆଯିବ। ଯୁକ୍ତ୨ରେ ୫୫ ହଜାରରୁ ଅଧିକ ସିଟ୍‌ ବୃଦ୍ଧି ପାଇଁ ଆବେଦନ ହୋଇଛି। ତେବେ ବିଜ୍ଞାନ ପାଇଁ ଲାବୋରେଟୋରି ହେଉଛି ଗୁରୁତ୍ୱପୂର୍ଣ୍ଣ। ତେଣୁ ଏ ସବୁର ଭିତ୍ତିଭୂମି ଯାଞ୍ଚ ଚାଲିଛି। ଶୁକ୍ରବାର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏ ନେଇ ବୈଠକ ବସିଥିଲା। ସେଲ୍ଫ ଫାଇନାନ୍ସିଂ କଲେଜର ଅଧିକ ଯାଞ୍ଚ ହେଉଛି। ସେମାନେ ଲାବୋରେଟୋରି ସୁବିଧା କେତେ ଯୋଗାଇ ପାରିବେ, ତାହାର ଅନୁଧ୍ୟାନ ଚାଲିଛି। ଆବେଦନ ପୂର୍ବରୁ କେତେ ସିଟ୍‌ ବଢ଼ିଲା, ତାହାର ତଥ୍ୟ ୱେବ୍‌ସାଇଟରେ ଉପଲବ୍ଧ ହେବ। ସିଟ୍‌କୁ ନେଇ କୌଣସି ସମସ୍ୟା ହେବ ନାହିଁ। ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ଦେଇଥିବା କୌଣସି ଛାତ୍ରୀଛାତ୍ର ଯେପରି ଯୁକ୍ତ୨ରେ ନାମଲେଖା ପାଇବାରୁ ବଞ୍ଚତ୍ତ ନ ହୁଅନ୍ତି ତା’ ଉପରେ ତିକ୍ଷ୍ଣ ଦୃଷ୍ଟି ରଖିଛୁ। ସେମାନଙ୍କୁ ଯଥେଷ୍ଟ ସୁଯୋଗ ଦିଆଯିବ। ଆବଶ୍ୟକ ପଡ଼ିଲେ ଯୁକ୍ତ୨ ନାମଲେଖା ପ୍ରକ୍ରିୟା ଗୋଟିଏ ମାସ ପାଇଁ ରଖିବାକୁ ସ୍ଥିର କରିଛୁ ବୋଲି ମନ୍ତ୍ରୀ କହିଛନ୍ତି।

Share