କାଲିଠୁ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା: ପହଞ୍ଚିସାରିଛି ପ୍ରଶ୍ନପତ୍ର, ଉତ୍ତରଖାତା

ଭୁବନେଶ୍ୱର,୨୯।୭(ବ୍ୟୁରୋ): ବିନା ପରୀକ୍ଷାରେ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏହାକୁ ନେଇ ବହୁ ବାଦବିବାଦ ଦେଖାଦେଇଥିଲା। ଛାତ୍ରୀଛାତ୍ରମାନେ ଆଶା କରୁଥିବା ମାର୍କଠାରୁ କମ୍‌ ମାର୍କ ପାଇଥିବା ନେଇ ଅଭିଯୋଗ ଆଣି ରାସ୍ତାକୁ ଓହ୍ଲାଇଥିଲେ। ଏହାପରେ ଅସନ୍ତୁଷ୍ଟ ପିଲାମାନେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବା ନେଇ ଦିନ ଧାର୍ଯ୍ୟ କରାଯାଇଥିଲା। ତେବେ ଶୁକ୍ରବାରଠାରୁ ଏହି ପରୀକ୍ଷା ଆରମ୍ଭ ହେବ। ଚଳିତ ବର୍ଷ ୧୧,୧୫୧ଜଣ ପରୀକ୍ଷା ଦେବେ। ଏଥିପାଇଁ ୫୦୪ଟି ପରୀକ୍ଷାକେନ୍ଦ୍ର ଖୋଲାଯାଇଛି। ସମସ୍ତ ପରୀକ୍ଷାକେନ୍ଦ୍ରରେ ପ୍ରଶ୍ନପତ୍ର ଓ ଉତ୍ତରଖାତା ପହଞ୍ଚି ସାରିଥିବା ବେଳେ ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ ପରେ ଭିତରକୁ ପ୍ରବେଶ କରିବା ଅନୁମତି ଦିଆଯିବ ବୋଲି ଜଣାପଡ଼ିଛି। ଏହାଛଡ଼ା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷକଙ୍କ ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଛି। ପ୍ରତିଟି କେନ୍ଦ୍ରରେ ଅବ୍‌ଜର୍ର୍‌ଭର ନିୟୋଜିତ କରାଯାଇଥିବା ଜଣାପଡ଼ିଛି।

ପ୍ରକାଶ ଯେ, ଚଳିତ ବର୍ଷ ମୋଟ ୬ ଲକ୍ଷ ୪୭ହଜାର ପିଲା ପରୀକ୍ଷା ଦେଇଥାନ୍ତେ। ହେଲେ ଶେଷ ମୂହୁର୍ତ୍ତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାରଙ୍କୁ ପରୀକ୍ଷା ବାତିଲ କରିବାକୁ ପଡ଼ିଥିଲା। ବିକଳ୍ପ ମୂଲ୍ୟାୟନ ସ୍ବରୂପ ପ୍ରିବୋର୍ଡ ପରୀକ୍ଷା ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଥିଲା। ଯେଉଁମାନେ ପ୍ରି ବୋର୍ଡ ଦେଇ ନ ଥିଲେ ସେମାନଙ୍କ ମୂଲ୍ୟାୟନ ନବମ ପରୀକ୍ଷା ଆଧାରରେ କରାଯାଇଥିଲା। ହେଲେ ପାତରଅନ୍ତର ନୀତି ଯୋଗୁ ତ୍ରୁଟିପୂର୍ଣ୍ଣ ଭାବେ ମୂଲ୍ୟାୟନ କରାଯାଇଥିବା ଛାତ୍ରୀଛାତ୍ର ଅଭିଯୋଗ କରିଥିଲେ।

Share