କଟକ,୬ା୩: ରାଜ୍ୟରେ ଚାଲିଥିବା ୨୦୨୫ ମାଟ୍ରିକ ପରୀକ୍ଷା ଗୁରୁବାର ଶେଷ ହୋଇଛି। ଛାତ୍ରୀଛାତ୍ର ଆଜି ଶେଷଦିନରେ ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୧ଟା ସମୟରେ ଶେଷ ହୋଇଥିଲା। ତେବେ ଚଳିତମାସ ୧୯ ତାରିଖରେ ମାଟ୍ରିକ ଖାତାଦେଖା ଆରମ୍ଭ ହେବାକୁ ଥିବାବେଳେ ଆସନ୍ତା ମେ’ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।
ଚଳିତବର୍ଷ ଓ୍ବାଟର ମାର୍କ ଓ କ୍ୟୁାଆର୍ କୋଡ୍ ସଫଳ ହୋଇଛି। ନୂଆ ଜ୍ଞାନ କୌଶଳ ପ୍ରୟୋଗ କାମ ଦେଇଛି ବୋଲି କହିଛନ୍ତି ବୋର୍ଡ ସଭାପତି। ପ୍ରଶ୍ନପତ୍ରରେ ଓ୍ବାଟର ମାର୍କ ଓ କ୍ୟୁଆର କୋଡରୁ ସୁଫଳ ମିଳିଛି। ଏଥର ପ୍ରଶ୍ନପତ୍ର ଭାଇରାଲ ହୋଇନି, ସମସ୍ତେ ସହଯୋଗ କରିଛନ୍ତି। ବିଶେଷକରି AI କ୍ୟାମେରା ଦ୍ବାରା ପରୀକ୍ଷାରେ ଅନିୟମିତତା ଧରାପଡ଼ିଗଲା। ମୋଟାମୋଟି ଭାବେ ଚଳିତଥର ମାଟ୍ରିକ ପରୀକ୍ଷା ସଫଳ ହୋଇଛି।
ସୂଚନାଯୋଗ୍ୟ, ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫେବୃଆରୀ ୨୧ରେ ଆରମ୍ଭ ହୋଇଥିଲା। ପରୀକ୍ଷାକୁ ଭଲ ଭାବେ ପରିଚାଳନା କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରଯାଇଥିଲା। ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା। ସବୁ କେନ୍ଦ୍ର ଉପରେ ନଜର ରଖିବାକୁ ବୋର୍ଡ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍ର ବ୍ୟବସ୍ଥା ହୋଇଥିଲା।
ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଓଡ଼ିଶାରେ ମୋଟ୍ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରୀଛାତ୍ର ଫର୍ମପୂରଣ କରିଥିଲେ। ପରୀକ୍ଷାକୁ ସୂଚାରୁ ରୂପେ ଚଳାଇବା ପାଇଁ ମୋଟ୍ ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ପ୍ରଶ୍ନପତ୍ର ରଖିବା ପାଇଁ ବୋର୍ଡ ପକ୍ଷରୁ ୩୧୪ଟି ନୋଡାଲ ସେଣ୍ଟର କରାଯାଇଥିଲା।