ମାଟ୍ରିକ ରେଜଲ୍ଟ ପ୍ରକାଶ, ପାସ୍‌ ହାର ୯୬.୪ ପ୍ରତିଶତ

କଟକ ଅଫିସ,୧୮ା୫: ଗୁରୁବାର ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ଏନେଇ କଟକ ବୋର୍ଡ ଅଫିସରେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପୂର୍ବାହ୍ନ ୧୦ଟାରେ ଏହି ପୁସ୍ତିକା ଉନ୍ମୋଚନ କରିଛନ୍ତି। ଚଳିତବର୍ଷ ମୋଟ୍‌ ପାସ୍‌ ହାର ୯୬.୪ ପ୍ରତିଶତ ରହିଥିବା ବେଳେ ଛାତ୍ରମାନଙ୍କଠାରୁ ଛାତ୍ରୀମାନେ ଆଗରେ ଅଛନ୍ତି।  ଛାତ୍ରୀଙ୍କ ପାସ୍‌ ହାର୍‌ ୯୭.୦୫ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ୯୫.୭୫ ପ୍ରତିଶତ ରହିଛି। ଏବର୍ଷ ମୋଟ୍‌ ୫୦୫୪୦୪ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୫୭୧୦୬ଜଣ ଛାତ୍ରୀ ଥିବା ବେଳେ ୨୫୧୨୯୮ ଜଣ ଛାତ୍ର ଥିବା ଜଣାପଡ଼ିଛି। ଗତବର୍ଷ ତୁଳନାରେ ଚଳିତବର୍ଷ ପରୀକ୍ଷା ଫଳ ଭଲ ହୋଇଛି ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି। ପୁସ୍ତିକା ଉନ୍ମୋଚନ ସମୟରେ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା ଏବଂ ଉପସଭାପତି ନିହାର ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ।

ପରୀକ୍ଷାର୍ଥୀମାନେ ନିଜର ପରୀକ୍ଷାଫଳ ବୋର୍ଡ ଓ୍ବେବ୍‌ସାଇଟ୍‌ www.bseodisha.ac.inରେ ଦେଖିପାରିବେ। ଏଥିସହ ମୋବାଇଲ ଫୋନ୍‌ରେ ଓଆର୍‌୧୦ ଲେଖି ସ୍ପେସ୍‌ ଦେଇ ରୋଲ୍‌ ନମ୍ବର ଟାଇପ କରି ୫୬୭୬୭୫୦କୁ ଏସ୍‌ଏମ୍‌ଏସ୍‌ କଲେ ପରୀକ୍ଷାଫଳ ଜାଣିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ମାଟ୍ରିକ, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ମୋଟ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଫର୍ମପୂରଣ କରିଥିବାବେଳେ ୫ ଲକ୍ଷ ୧୮ ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ରାଜ୍ୟର ୩,୨୧୮ କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିଲା। ପ୍ରଶ୍ନପତ୍ର ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା। ରାଜ୍ୟରେ ମୋଟ୍‌ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତା ମୂଲ୍ୟାୟନ ହୋଇଥିଲା।

Share