ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷାଫଳ ପ୍ରକାଶିତ

କଟକ ଅଫିସ,୧୯ା୧: ଚଳିତବର୍ଷର ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ୱେବ୍‌ସାଇଟ୍‌ (www.bseodisha.ac.in)ରେ ପରୀକ୍ଷାଫଳ ଉପଲବ୍ଧ। ହାଇସ୍କୁଲ ପରୀକ୍ଷା ପାଇଁ ୫ ଲକ୍ଷ ୩୨ ହଜାର ୭୪୬ ଜଣ ଛାତ୍ରୀଛାତ୍ର ଫର୍ମ ପୂରଣ କରିଥିଲେ। ସେଥିମଧ୍ୟରୁ ୧୩ ହଜାର ୫୮ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। କପି କରି ୧୪୩ ଜଣ ଛାତ୍ରୀଛାତ୍ର ଧରା ପଡିଥିଲେ। ରି ଚେକିଂ ପାଇଁ ଆସନ୍ତା ୨୦ରୁ ୩୦ ତାରିଖ ମଧ୍ୟରେ ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ। ତେବେ ଯେଉଁମାନେ ସମ୍ମେଟିଭ-୧ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବେ ସେମାନେ ସମ୍ମେଟିଭ-୨ ପରୀକ୍ଷା ଦେଇପାରିବେ। କପି କରି ଧରାପଡିଥିବା ଛାତ୍ରୀଛାତ୍ର ସମ୍ମେଟିଭ-୨ ପରୀକ୍ଷା ଦେଇପାରିବେ ନାହିଁ। ଅପରପକ୍ଷରେ ମଧ୍ୟମାରେ ୩, ୬୨୭ ଜଣ ଛାତ୍ରୀଛାତ୍ର ଫର୍ମ ପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୫୮୩ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୭,୧୭୯ ଜଣ ଫର୍ମ ପୂରଣ କରିଥିଲେ। ସେଥିମଧ୍ୟରୁ ୪୪୪ ଜଣ ଅନୁପସ୍ଥିତ ଥିବାବେଳେ ୬୦ ଜଣ କପି କରି ଧରା ପଡିଥିଲେ। ଆସନ୍ତା ମାର୍ଚ୍ଚ ୧୦ରୁ ୧୭ ପର୍ଯ୍ୟନ୍ତ ମାଟ୍ରିକ୍‌ ସମ୍ମେଟିଭ-୨ ପରୀକ୍ଷା ହେବ। ୩୦୨୯ଟି ପୂର୍ବ ନୋଡାଲ ଓ ପରୀକ୍ଷା ସେଣ୍ଟରରେ ଏହି ପରୀକ୍ଷା ହେବ। ସବୁ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଢାଞ୍ଚା ସମାନ ରହିବ। ଏଥିପାଇଁ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ପ୍ରସ୍ତୁତି ଆରମ୍ଭ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି।

Share