‘ଜୁନ୍‌ ୧୪ରୁ ମାଟ୍ରିକ ପରୀକ୍ଷା ଖବର ମିଥ୍ୟା’

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଜୁନ ୧୪ରେ ମାଟ୍ରିକ ପରୀକ୍ଷା ହେବା ନେଇ ପ୍ରଚାରିତ ଖବର ମିଥ୍ୟା ବୋଲି ସ୍ପଷ୍ଟ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଛି। ମାତ୍ର ମାଟ୍ରିକ ପରୀକ୍ଷା ହେବା ନେଇ ବିଭାଗ ପକ୍ଷରୁ ବୈଠକ ବସି ନିଷ୍ପତ୍ତି ହୋଇଥିବା ଓ ଜୁନ ୧୪ରୁ ୨୬ ପର୍ଯ୍ୟନ୍ତ ପରୀକ୍ଷା ହେବା ନେଇ ମନ୍ତ୍ରୀ ଦାଶ ଟୁଇଟ୍‌ କରିଥିବା ସଂକ୍ରାନ୍ତ ଖବର ସୋସିଆଲ ମିଡିଆରେ ଘୂରିବୁଲିଥିଲା। ଏହାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯିବା ପରେ ସତ ସାମ୍ନାକୁ ଆସିଥିଲା। କେହି ଜଣେ ଦୁର୍ବୃତ୍ତ ମନ୍ତ୍ରୀଙ୍କ ନାଁରେ ଫେକ୍‌ ଟୁଇଟର ଆକାଉଣ୍ଟ ଖୋଲି ଏଭଳି ଲେଖିଥିବା ଜଣାପଡ଼ିଛି। ସେଥିରେ ଲେଖାଯାଇଛି ଯେ, ପୂର୍ବ ନିଷ୍ପତ୍ତି ଅନୁସାରେ, ଦଶମ ବୋର୍ଡ ପରୀକ୍ଷାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାତିଲ କରାଯାଇଥିଲା। କିନ୍ତୁ ସମସ୍ତ କଲେଜ ଛାତ୍ରୀଛାତ୍ରଙ୍କର ଧାରଣା ଯୋଗୁ ଆଜି ପୁନର୍ବାର ବୈଠକରେ ଆଲୋଚନା ହୋଇଛି ଯେ, ଦଶମ ବୋର୍ଡ ପରୀକ୍ଷା ଆସନ୍ତା ଜୁନ ୧୪ତାରିଖରୁ ୨୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମନ୍ତ୍ରୀ ଦାଶ ଉକ୍ତ ନକଲି ଟୁଇଟ୍‌ର ସ୍କ୍ରିନ୍‌ଶଟ୍‌ ନେଇ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିବା ସହ ଲେଖିଛନ୍ତି ଯେ, କେହି ଜଣେ ବଦମାସ୍‌ ମୋ ନାମରେ ଫେକ୍‌ ଆକାଉଣ୍ଟ୍‌ ଖୋଲି ଏସବୁ ମିଥ୍ୟା ପୋଷ୍ଟ କରି ପ୍ରଚାର କରୁଥିବା ନଜରକୁ ଆସିଛି। ସମସ୍ତଙ୍କୁ ଅନୁରୋଧ ଏସବୁଠୁ ଦୂରେଇ ରୁହନ୍ତୁ।

Share