ଦମ୍ପତି ଆତ୍ମହତ୍ୟା ଘଟଣା: ଅନାଥ ଭାଇ-ଭଉଣୀଙ୍କୁ ସରକାରୀ ସହାୟତା ଦାବି

ପୁରୁଷୋତ୍ତମପୁର,୨୧।୧୦(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କେ.ଏନ.ପୁର ପଞ୍ଚାୟତର ଖାଜିପଲ୍ଲୀ ଗ୍ରାମରେ ରବିବାର ଏକ ଦମ୍ପତି ସନ୍ତୋଷ ସାହୁ(୪୦) ଓ ସସ୍ମୀତା ସାହୁ ( ୩୩) ଆତ୍ମହତ୍ୟା କରିଥିଲେ। ଶୋକାକୁଳ ପରିବେଶ ମଧ୍ୟରେ ସୋମବାର ପତ୍ନୀପତିଙ୍କ ଜୁଇ ଗାଁ ଶ୍ମଶାନରେ ଜଳିଛ। ତାଙ୍କର ନିଷ୍ପାପ ଶିଶୁପୁତ୍ର ଶୁଭମ(୮ ବର୍ଷ) ବାପା-ମା’ଙ୍କ ମୁହଁରେ ନିଆଁ ଦେବା ବେଶ୍‌ ହୃଦୟ ବିଦାରକ ଥିଲା। ବାପା-ମା’ଙ୍କୁ ହରାଇ ଶୁଭମ ଓ ତାର ଭଉଣୀ ସୋନାଲି (୧୨) ଭୋ ଭୋ ହୋଇ କାନ୍ଦୁଛନ୍ତି। ଅନାଥ ହୋଇ ଦୁହେଁ ସମ୍ପୂର୍ଣ୍ଣ ବେସାହାରା ହୋଇ ପଡିଥିବା ଶିଶୁଦ୍ବୟ କିପରି ବଞ୍ଚିବେ, କ’ଣ ଖାଇବେ କେମିତି ପାଠ ପଢିବେ ତାହା ଗ୍ରାମବାସୀଙ୍କ ଲାଗି ଚିନ୍ତାର କାରଣ ପାଲଟିଛି।

ଏଣୁ ଏ ଦିଗରେ ସରକାର, ଜିଲାପ୍ରଶାସନ ଓ ଶିଶୁ ସୁରକ୍ଷା ବିଭାଗ ଦୃଷ୍ଟିଦେଇ ଅନାଥ ଭାଇଭଉଣୀଙ୍କୁ ସହାୟତାର ହାତ ବଢାଇବାକୁ ନିବେଦନ କରିଛନ୍ତି। ଏଭଳି ସ୍ଥିତିରେ ସମାଜସେବୀ ଏନ ରାମଚନ୍ଦ୍ର ରେଡି ସହାୟତାର ହାତ ବଢାଇ କିଛି ଆର୍ଥିକ ସହାୟତା ଯୋଗାଇଦେଇଥିବା ବେଳେ ସେମାନଙ୍କ ପାଠପଢିବା ଦାୟିତ୍ୱ ନେବାକୁ କହିଥିବାବେଳେ ସରପଞ୍ଚ ରାଜଲକ୍ଷ୍ମୀ ବେହେରା ପଞ୍ଚାୟତ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି।

ଅପରପକ୍ଷରେ ଏହାକୁ ନେଇ ପୁରୁଷୋତ୍ତମପୁର ପୋଲିସ ଥାନା ଅପମୃତ୍ୟୁ ମାମଲା (ନଂ ୧୬/୨୪) ରୁଜୁ କରିଛି। ସୋମବାର ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ କରିଛନ୍ତି। ପାରିବାରିକ କଳହରୁ ପ୍ରଥମେ ସ୍ତ୍ରୀ ସସ୍ମିତା ବିଷ ପିଇଦେଇଥିବା ବେଳେ ଏହାକୁ ଦେଖି କାଳେ କେସପତ୍ର ହେବାର ଭୟଭୀତ ହୋଇ ସ୍ବାମୀ ସନ୍ତୋଷ ମଧ୍ୟ ଫାଶୀଦେଇ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଥାନା ଏସଆଇ ଶୁଶାନ୍ତ କୁମାର ମିଶ୍ର କହିଛନ୍ତି।

Share