ଇସ୍ତଫା ଦେଲେ ମାଉଇ ଜରୁରୀକାଳିନ ମୁଖ୍ୟ

ନ୍ୟୁୟର୍କ,୧୮ା୮: ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ମାଉଇ ଜରୁରୀକାଳିନ ମୁଖ୍ୟ ହରମାନ ଆଣ୍ଡାୟା ଇସ୍ତଫା ଦେଇଥିବା ମେୟର ରିଚାର୍ଡ ବିସେନ କହିଛନ୍ତି। ହରମାନ ଦ୍ୱୀପପୁଞ୍ଜର ଆଲାର୍ମ ସିଷ୍ଟମକୁ ସକ୍ରିୟ ନ କରିବାରୁ ୧୧୧ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଲୋକେ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏହାର ଗୋଟିଏ ଦିନ ପରେ ସେ ଇସ୍ତଫା ଦେଇଛନ୍ତି। ମେୟର ରିଚାର୍ଡ ବିସେନ ନିଶ୍ଚିତ କରିଛନ୍ତି ଯେ, ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ହରମାନ ଇସ୍ତଫା ଦେଇଛନ୍ତି।

ମାଉଇ କାଉଣ୍ଟି ଫେସ୍‌ବୁକ୍‌ରେ ଘୋଷଣା କରିଛି ଯେ, ମେୟର ରିଚାର୍ଡ ବିସେନ ତୁରନ୍ତ ଆଣ୍ଡାୟାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଆଣ୍ଡାୟା ତାଙ୍କ ପଦ ଛାଡ଼ିବା କେବଳ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇଛନ୍ତି। ଅନ୍ୟ କିଛି ଦର୍ଶାଇନାହାନ୍ତି।

ହାଓ୍ବାଇରେ ସାଇରନ ସିଷ୍ଟମ ୧୯୪୬ ସୁନାମି ପରେ ସୃଷ୍ଟି ହୋଇଥିଲା। ଯେଉଁଥିରେ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଗୁରୁବାର ସକାଳେ ଦ୍ୱୀପର ଅଗ୍ନିଶମ ଏବଂ ଜନ ସୁରକ୍ଷା ଆୟୋଗର ଏକ ବୈଠକରେ ଯୋଗଦେବାକୁ ଆଣ୍ଡାୟା ଥିଲେ। କିନ୍ତୁ ହଠାତ୍‌ ଏହାକୁ ବାତିଲ କରିଦିଆଗଲା। ସେ କହିଛନ୍ତି, ତାଙ୍କୁ ନିଯୁକ୍ତ କରାଯାଇ ନାହିଁ କିନ୍ତୁ ପରୀକ୍ଷା ଏବଂ ଅନୁସନ୍ଧାନ ପରେ ଏହି ପଦବୀ ମିଳିଥିଲା।

ଅନ୍ୟପକ୍ଷରେ ମେୟର ରିଚାର୍ଡ ଏକ ବିବୃତ୍ତିରେ କହିଛନ୍ତି, ଆମେ ସମ୍ମୁଖୀନ ହେଉଥିବା ସଙ୍କଟର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମୋର ଦଳ ଏବଂ ମୁଁ କାହାକୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଯଥାଶୀଘ୍ର ସ୍ଥାନିତ କରିବି। ଶୀଘ୍ର ଏନେଇ ଘୋଷଣା କରାଯିବ।

Share