ଭୁବନେଶ୍ୱର,୧ା୬: ଓଡ଼ିଶାର ଅନେକ ଅଞ୍ଚଳରେ ହିଟ୍ଓ୍ବେଭ୍ ଜାରି ରହିଛି। ଏହାକୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ହିଟ୍ଓ୍ବେଭ୍ ବୋଲି କୁହାଯାଉଛି। ପ୍ରଥମ ହିଟ୍ଓ୍ବେଭ୍ କେବଳ ଦୁଇ ଦିନ, ଏପ୍ରିଲ୍ ୫ ଏବଂ ଏପ୍ରିଲ୍ ୬, ୨୦୨୪ ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ୍ ୧୫ ରୁ ମେ ୫ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟବାସୀ ପ୍ରାୟ ୨୧ ଦିନ ତୀବ୍ର ହିଟ୍ଓ୍ବେଭ୍ ଅନୁଭବ କରିଥିଲେ।
ତେବେ ମେ ୨୯ ରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ହିଟ୍ଓ୍ବେଭ୍ ତୃତୀୟ ପର୍ଯ୍ୟାୟ ଜାରି ରହିଛି। ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶନିବାର ସୂଚନା ଦେଇଛି ଯେ ଆଗାମୀ ଦିନରେ ସର୍ବାଧିକ ତାପମାତ୍ରା ହ୍ରାସ ହେବାର ସମସ୍ତ ସମ୍ଭାବନା ରହିଛି।
ଆଇଏମଡି ସୂଚନା ଅନୁଯାୟୀ, “ଆଗାମୀ ଦିନରେ ସର୍ବାଧିକ ତାପମାତ୍ରା (ଦିନର ତାପମାତ୍ରା) ୨ରୁ ୩ ଡ଼ିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି ଏବଂ ଏହା ପରେ ଓଡ଼ିଶାର ଅନେକ ଜିଲାରେ ବଡ଼ ପରିବର୍ତ୍ତନ ହେବାର ଆଶଙ୍କା ନାହିଁ।”
ଆସନ୍ତା ୨୪ ଘଣ୍ଟା ପାଇଁ କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ , ସୋନପୁର, ସମ୍ବଲପୁର ଜିଲାରେ ହିଟ୍ଓ୍ବେଭ୍ ଅଧିକ ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ସମାନ ସମୟରେ ବୌଦ୍ଧ, ନୁଆପଡା, ଝାରସୁଗୁଡ଼ା, ବରଗଡ ଜିଲାରେ ସାମାନ୍ୟ କମ୍ ହିଟ୍ଓ୍ବେଭ୍ ଅନୁଭୂତ ହୋଇପାରେ, କିନ୍ତୁ ଏହି ଜିଲା ଗୁଡିକୁ ୟେଲୋ ୱାର୍ନିଂ ଜାରି କରାଯାଇଛି।
ସେହିପରି ସୋମବାର ବରଗଡ, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ନୁଆପଡା ଜିଲାରେ ହିଟ୍ଓ୍ବେଭ୍ ଅନୁଭୂତ ହେବାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତ୍ସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, କେନ୍ଦୁଝର ଏବଂ ଗଜପତି ଜିଲାରେ ମଧ୍ୟ ହିଟ୍ଓ୍ବେଭ୍ ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି।