ସତ୍ୟୱାରୀ(ଜମ୍ମୁ),୨୩।୧: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରା କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସୋମବାର ଜମ୍ମୁର ସତ୍ୟୱାରୀରେ ପହଞ୍ଚିଛି। ଏହି ଅବସର ଅନୁଷ୍ଠିତ ଏକ ସାଧାରଣ ସଭାରେ ରାହୁଲ ଉଦ୍ବୋଧନ ଦେଇ ଦେଶର ବେକାରୀ ସମସ୍ୟା ଉଠାଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହ ଜମ୍ମୁ-କଶ୍ମୀରରେ ସର୍ବାଧିକ ବେକାରୀ ଥିବା କହିଥିଲେ। ଦେଶରେ ୨ରୁ ୩ଟି ବଡ଼ ଶିଳ୍ପପତି ନୁହେଁ ଛୋଟ, କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ ଦେଶକୁ ରୋଜଗାର ଯୋଗାଇ ପାରିବେ ବୋଲି ରାହୁଲ କହିଛନ୍ତି। ଦେଶର ସମଗ୍ର ବ୍ୟବସାୟ କେତେକ ଶିଳ୍ପପତିଙ୍କ ଦ୍ୱାରା ପରିଚାଳିତ ହେଉଛି। ଫଳରେ ଦେଶର ଧନ କେତେକ ଶିଳ୍ପପତିଙ୍କ ପକେଟ୍ରେ ରହିଛି। ବିମୁଦ୍ରୀକରଣ ଦ୍ୱାରା କଳା ଟଙ୍କା ବିଲୋପ ହୋଇପାରିଲା ନାହିଁ। ଏହାଦ୍ୱାରା ଛୋଟ ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହୋଇଥିବା ରାହୁଲ କହିଛନ୍ତି। ଏପରିକି କଶ୍ମୀର ପଣ୍ଡିତଙ୍କ ପ୍ରତି ସରକାର ଅନ୍ୟାୟ କରୁଛନ୍ତି। କଶ୍ମୀର ପଣ୍ଡିତ ଭିକ ମାଗୁନାହାଁନ୍ତି ବରଂ ତାଙ୍କ ଅଧିକାର ମାଗୁଥିବା ସେ କହିଛନ୍ତି।