ଦୁବାଇ,୨୯।୯: ପୁରୁଣା ଫର୍ମକୁ ଫେରିଛନ୍ତି ଗ୍ଲେନ ମ୍ୟାକ୍ସଓ୍ବେଲ। ଗତ ମ୍ୟାଚ୍ ଭଳି ଏଥର ମଧ୍ୟ ଖେଳିଛନ୍ତି ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି। ତାଙ୍କ ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୧୭ ବଲ ପୂର୍ବରୁ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ବିଜୟ ସହ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ସ୍ଥାନ ସୁଦୃଢ଼ କରିଛି। ଅନ୍ୟପକ୍ଷରେ ପରାଜୟ ସହ ପ୍ଲେ-ଅପ୍ ଦୌଡ଼ରୁ ଦ୍ୱିତୀୟ ଦଳ ଭାବେ ବାଦ୍ ପଡ଼ିଛି ରାଜସ୍ଥାନ।
ଟସ୍ ଜିତି କୋହଲି ପ୍ରତିପକ୍ଷ ରାଜସ୍ଥାନକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ। ରାଜସ୍ଥାନକୁ ବିସ୍ଫୋରକ ଆରମ୍ଭ ଦେଇଥିଲେ ଇଭିନ ଲୁଇସ ୫୮ (୫ ଚୌକା ଓ ୩ ଛକା) ଓ ଜଶସ୍ବୀ ଜୈଶ୍ୱାଲ ୩୧ (୩ ଚୌକା ଓ ୨ ଛକା)। ଦଳ ୧୧ ଓଭର ସୁଦ୍ଧା ୧ ଉଇକେଟ ହରାଇ ୧୦୦ ରନ୍ କରିଥିଲା। ଲାଗୁଥିଲା ସଞ୍ଜୁ ସାମସନଙ୍କ ଦଳ ଏକ ବଡ଼ ସ୍କୋର ଛିଡ଼ା କରିବ। କିନ୍ତୁ କୋହଲିଙ୍କ ଚତୁରତାପୂର୍ଣ୍ଣ କ୍ୟାପଟେନଶିପ୍ କାରଣରୁ ରାଜସ୍ଥାନ ଅଟକି ଯାଇଥିଲା ୧୪୯/୯ ରନ୍ରେ। ଆରସିବି ପକ୍ଷରୁ ହର୍ଶଲ ପଟେଲ ୩ ଉଇକେଟ ନେଇଥିବା ବେଳେ ୟୁଜବେନ୍ଦ୍ର ଚହଲ ଓ ଶାହାବାଜ ଅହମ୍ମଦ ୨ ଲେଖାଏ ଉଇକେଟ ହାତେଇଥିଲେ।
ଜବାବରେ ଆରସିବିକୁ ୪୮ ରନ୍ର ଆରମ୍ଭ ଦେଇଥିଲେ କୋହଲି(୨୫) ଓ ଦେବଦତ୍ତ ପାଡିକଲ (୨୨)। କ୍ରମାଗତ ବ୍ୟବଧାନରେ ଦୁହେଁ ଆଉଟ୍ ହେବା ପରେ ଶ୍ରୀକର ଭରତ (୪୪) ଓ ମ୍ୟାକ୍ସେଓ୍ବେଲ (୫୦* ରନ୍, ୬ ଚୌକା ଓ ୧ ଛକା) ୩ୟ ଉଇକେଟ ପାଇଁ ଦଳୀୟ ସ୍କୋରରେ ୭୯ ରନ୍ ଯୋଡ଼ି ବିଜୟ ସୁନିଶ୍ଚିତ କରି ଦେଇଥିଲେ। ଶେଷକୁ ଏବି ଡି’ଭିଲୟର୍ସ ଚୌକା ଲଗାଇ ଦଳକୁ ଦେଇଥିଲେ ବିଜୟ ଭେଟି।